ନୂଆଦିଲ୍ଲୀ,୧୭/୦୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ସରଳୀକରଣ ଏବଂ ସ୍ୱଚ୍ଛ କରାଯାଇଛି । ମତଦାତାଙ୍କୁ ଦୃଷ୍ଟିରେ ରଖି ଏଣିକି ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମବାଲାଟ୍ ପେପରରେ ପ୍ରାର୍ଥୀଙ୍କର ରଙ୍ଗୀନ ଫଟୋ ଲଗାଯିବ । ଏନେଇ ଭାରତୀୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଜାରି କରିଛନ୍ତି । ପୂର୍ବରୁ ବାଲାଟ୍ ପେପରରେ ପ୍ରାର୍ଥୀଙ୍କର କଳାଧଳା ଫଟୋ ରହୁଥିଲା । ଏହି ନିୟମ ଭୋଟରଙ୍କୁ ପ୍ରାର୍ଥୀଙ୍କୁ ସହଜରେ ଚିହ୍ନିବାରେ ସାହାଯ୍ୟ କରିବ ବୋଲି ଇସିଆଇ କହିଛି ।ଏହା ବ୍ୟତୀତ, ନିର୍ବାଚନ ସମୟରେ ଭୁଲ ବା ଦ୍ୱନ୍ଦ୍ୱ ଏଡ଼ାଇବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକ ମୁତାବକ, ବିହାର ନିର୍ବାଚନରେ ଏହି ନୂତନ ନିୟମ ଲାଗୁ କରାଯିବ । ପରବର୍ତ୍ତୀ ସମୟରେ ସମଗ୍ର ଭାରତରେ ଅନ୍ୟ ରାଜ୍ୟର ନିର୍ବାଚନବେଳେ ନିୟମ ଲାଗୁ କରାଯିବ ।