ବାଜିଲା ବିହାର ବିଧାନସଭା ନିର୍ଵାଚନ ବିଗୁଲ୍ , ୨ଟି ପର୍ଯ୍ୟାୟରେ ହେବ ମତଦାନ

ନୂଆଦିଲ୍ଲୀ,୦୬/୧୦: ବାଜିଲା ବିହାର ବିଧାନସଭା ନିର୍ଵାଚନ ବିଗୁଲ୍ । ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ଏଥର ୨ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୬ ତାରିଖରେ ପଡ଼ିବାକୁ ଥବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୧୧ ତାରିଖରେ ପଡିବ । ଏହାସହ ବିହାର ନିର୍ବାଚନର ଫଳାଫଳ ନଭେମ୍ବର ୧୪ ତାରିଖରେ ଘୋଷଣା ହେବ । ବିଧାନସଭାର ମୋଟ ସିଟ୍ ସଂଖ୍ୟା ହେଉଛି ୨୪୩ । ଯାହା ଭିତରୁ ୨୦୩ ସିଟ୍ ସାଧାରଣ ବର୍ଗଙ୍କ ପାଇଁ ରହିବ । ଏହାସହିତ ୩୮ଟି ସିଟ୍ ଏସସି ଏବଂ ୨ଟି ସିଟ୍ ଏସଟି ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ । ତେବେ ଏଥର ମୋଟ ୭.୪୩ କୋଟି ଭୋଟର ବିହାରର ଭାଗ୍ୟ ନିର୍ଦ୍ଧାରଣ କରିବେ । ଯାହା ଭିତରୁ ୩.୯୨ କୋଟି ପୁରୁଷ ଭୋଟର ଥିବାବେଳେ, ୩.୫୦ କୋଟି ମହିଳା ଭୋଟର । ଏହାସହିତ ୭.୨ ଲକ୍ଷ ଦିବ୍ୟାଙ୍ଗ ଭୋଟର ଏବଂ ୧୪ ଲକ୍ଷରୁ ଅଧିକ ପ୍ରଥମ ଭୋଟର ଏଥର ବିହାର ନିର୍ବାଚନରେ ଭୋଟ୍ ଦେବେ । ଏଥର ପ୍ରାର୍ଥୀଙ୍କର ରଙ୍ଗିନ ଫଟୋ ରହିବ । ଏହାସହ ସିରିଏଲ୍ ନମ୍ବର ମଧ୍ୟ ବଡ଼ ଅକ୍ଷରରେ ଲେଖାଯିବ । ଏନେଇ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ସୂଚନା ଦେଇଛନ୍ତି ।