ଭୁବନେଶ୍ୱର,୨୫/୧୨: ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ ଏକ ବିସ୍ଫୋରକ ବୟାନ। ସେ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି ଯେ, ଯଦି ନବୀନ ପଟ୍ଟନାୟକଙ୍କୁ ଛାଡ଼ି କୌଣସି ନୂଆ ଲୋକଙ୍କୁ ଦଳର ନେତୃତ୍ୱ ଦିଆଯାଏ, ତେବେ ବିଜେଡି ଭାଗ ଭାଗ ହୋଇଯିବ । ଭୂପିନ୍ଦରଙ୍କ ଅନୁସାରେ, ନବୀନ ପଟ୍ଟନାୟକଙ୍କ ବିନା ବିଜେଡିର କୌଣସି ଅସ୍ତିତ୍ୱ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ ତାଙ୍କ ବିନା ଦଳ ତିଷ୍ଠି ରହିବା ଅସମ୍ଭବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଦଳରେ କୌଣସି ନୂଆ ଚେହେରାକୁ ନେତୃତ୍ୱକୁ ଆଣିବା ପାଇଁ ଏହା ଠିକ୍ ସମୟ ନୁହେଁ । ଦଳ ଭିତରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ନୂଆ ଲୋକଙ୍କୁ ଆଣିବାକୁ ଚେଷ୍ଟା କରୁଛନ୍ତି, ଯାହା ବିଷୟରେ ନବୀନ ପଟ୍ଟନାୟକ ଭଲ ଭାବେ ଅବଗତ ଅଛନ୍ତି । କିନ୍ତୁ ଏଭଳି ପ୍ରୟାସ ସଫଳ ହେବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଭୂପିନ୍ଦରଙ୍କ ବୟାନରୁ ଦଳର ଆଭ୍ୟନ୍ତରୀଣ ଅସନ୍ତୋଷ ସ୍ପଷ୍ଟ ବାରି ହୋଇ ପଡୁଛି । ସେ ଅଭିଯୋଗ କରିଛନ୍ତି ଯେ, ବର୍ତ୍ତମାନ ବିଜେଡି ମାତ୍ର ୩ରୁ ୪ ଜଣ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ହେଉଛି, ଯାହା ଆଦୌ ଠିକ୍ ନୁହଁ। ତାଙ୍କ ମତରେ, ଦଳରେ କୌଣସି ଏକଚାଟିଆ ଶାସନ ନୁହେଁ, ବରଂ ଗୋଟିଏ ସମ୍ପୂର୍ଣ୍ଣ ‘ଟିମ୍’ ଭାବେ କାମ ହେବା ଆବଶ୍ୟକ ।