ପୁରୀ,୧୯/୦୫: ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା । ଏହି ଅବସରରେ ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହେବ ତିନି ରଥର ଚକ ଅଖ ଡେରା ନୀତି । ସକାଳଧୂପ ପରେ ଶ୍ରୀମନ୍ଦିରରୁ ସେବକମାନେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଧରି ରଥଖଳାକୁ ବିଜେ କରିବେ । ଏହାପରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯିବ । ଆଜିର ଏହି ଚକ ଅଖ ଡେରା ନୀତି ସମ୍ପନ୍ନ ହେବା ପରେ ରଥ ନିର୍ମାଣର ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହେବ । ସେପଟେ ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ, ଅର୍ଥାତ ଭଉଁରୀ ଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ମଦନମୋହନଙ୍କ ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଜଳକ୍ରୀଡା କରିବେ। ଆଜି ଅପରାହ୍ନ ୪ ଟାରେ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ମହାପ୍ରଭୁ ମଣିବିମାନରେ ବାହାରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯିବେ। ଭଉଁରୀ ଯାତ୍ରାରେ ଅତ୍ୟଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।