କଟକ,୦୭/୧୨: ଦିନକ ପରେ କଟକର ବାରବାଟୀ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ୩ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଆରମ୍ଭ ହୋଇଯିବ। ଐତିହାସିକ ବାରବାଟୀ ଷ୍ଟାଡିୟମରେ ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଆୟୋଜନ ହେବ। ବିସିସିଆଇ ଅନୁବନ୍ଧିତ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ମ୍ୟାଚ୍ରେ ପ୍ରାୟ ୫୦,୦୦୦ ଦର୍ଶକଙ୍କ ସମାଗମ ହେବାର ଆଶଙ୍କା ଦେଖାଯାଉଛି। ଏତଦ୍ ବ୍ୟତୀତ ଷ୍ଟାଡିୟମ ବାହାରେ ମଧ୍ୟ ଲୋକଙ୍କର କୋଳାହର ସୃଷ୍ଟି ହୋଇପାରେ। ତେଣୁ ସୁରକ୍ଷା ବ୍ୟବସ୍ଥା ପାଇଁ ଭୁବନେଶ୍ବର-କଟକ କମିସନରେଟ୍ ପୁଲିସ ବ୍ୟାପକ ବନ୍ଦୋବସ୍ତ କରିଛି। ଆସନ୍ତାକାଲି ଉଭୟ ଦଳର ଖେଳାଳିମାନେ ନେଟ୍ ପ୍ରାକ୍ଟିସ କରିବେ। ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଟି-୨୦ ମ୍ୟାଚ୍ ଖେଳାଯିବା ପୂର୍ବରୁ ଖେଳାଳିମାନଙ୍କର ଯିବା ଆସିବା ପାଇଁ ଭୁବନେଶ୍ବର-କଟକ ରାସ୍ତାରେ କିଛି ସମୟ ଭିଡ଼ ରହିବ। ଯୁବଗୋଷ୍ଠୀ ଖେଳାଳିମାନଙ୍କର ଝଲକ ପାଇବା ପାଇଁ ଖେଳାଳିଙ୍କ ରୁଟ୍ରେ ଅପେକ୍ଷା କରିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଆସନ୍ତାକାଲି ଦିନ ୧୨ଟାରୁ ରାତି ୯ଟା ଯାଏଁ ଟ୍ରାଫିକ୍ କଟକଣା ଜାରି ରହିବ। ସେହିପରି ଡିସେମ୍ବର ୯ ତାରିଖ ସକାଳ ୮ରୁ ଭିଡ଼ ସରିବା ଯାଏଁ କଟକଣା ଜାରି ରହିବ। କଟକର ଚହଟା ଛକ, ଶିଖରପୁର ଛକ ଠାରୁ ବାମ୍ବୋ ଡିପୋ ଯାଏଁ କଟକଣା ଜାରି ରହିବ। ଦିନ ୧୨ଟାରୁ ରାତି ୧୦ଟା ଯାଏଁ ଭାରି ଯାନ ନିଷେଧ କରାଯିବ। ସୁରୁଖୁରୁରେ ମ୍ୟାଚ୍ ପରିଚାଳନା ପାଇଁ ୭ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଭୁବନେଶ୍ବରରେ ଖେଳାଳିମାନେ ଆସି ପହଞ୍ଚି ସାରିଛନ୍ତି।