ଭୁବନେଶ୍ୱର,୧୩/୧୧: ଆଜି ମାର୍ଗଶିର ମାସ କୃଷ୍ଣ ନବମୀ ତିଥି । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ ରହବ । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଶ୍ରୀମନ୍ଦିରର ମଧ୍ୟାନ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦିରେ ସମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ । ବନକଲାଗି ନୀତି ପରେ ଶ୍ରୀବିଗ୍ରହଙ୍କ ମହାସ୍ନାନ ହେବ । ଏହା ପରେ ରାତି ୧୦ଟା ପରେ ପୁଣି ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ । ସେପଟେ ଶ୍ରୀମନ୍ଦିରରେ ପୁଣି ବିଶୃଙ୍ଖଳା । ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ପଶିଗଲେ ଭକ୍ତ । ଗର୍ଭ ଗୃହକୁ ପଲଙ୍କ ବିଜେ ପରେ ଓ ଭିତର ଆଳତି ପୂର୍ବରୁ ଜଣେ ଭକ୍ତ ବାହାରକାଠ ଡେଇଁ ଜୟ ବିଜୟ ଦ୍ୱାର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ । ଭକ୍ତ ଜଣକ ମୁଦୁଲି ଦ୍ୱାର ଦେଇ ପ୍ରବେଶ କରିଥିଲେ । ଏହି ଦ୍ୱାର ଦେଇ ସେବାୟତ ବା ଡିଉଟିରେ ଥିବା କର୍ମଚାରୀ ପ୍ରବେଶ ବ୍ୟବସ୍ଥା ଅଛି । ସାଧାରଣ ଭକ୍ତ ଏହି ଦ୍ୱାର ଦେଇ ପ୍ରବେଶ କରି ପାରିବେ ନାହିଁ ।