ବଳଙ୍ଗା ପୀଡ଼ିତାଙ୍କ ଭୁବନେଶ୍ୱର ଏମ୍ସରେ ଦେଇଥିବା ବୟାନ ଓ ଦିଲ୍ଲୀ ଏମ୍ସରେ ଦେଇଥିବା ବୟାନ ଭିତରେ ନାହିଁ ତାଳ ମେଳ

ଭୁବନେଶ୍ୱର,୨୬/୦୭: ବଳଙ୍ଗା ପୀଡ଼ିତାଙ୍କ ବୟାନକୁ ନେଇ ଅଡୁଆରେ ପୋଲିସ। ଗୋଟିଏ ପଟେ ବଳଙ୍ଗା ଘଟଣାରେ ରାଜ୍ୟ ଉଠୁଛି ପଡ଼ୁଛି। ଅନ୍ୟପଟେ ନାବାଳିକା ପୀଡ଼ିତାଙ୍କ ବୟାନରେ ତାଳମେଳ ରହୁନଥିବା ସୂଚନା ମିଳିଛି। ପୀଡ଼ିତା ଭୁବନେଶ୍ୱର ଏମ୍ସରେ ଦେଇଥିବା ବୟାନ ଓ ଦିଲ୍ଲୀ ଏମ୍ସରେ ଦେଇଥିବା ବୟାନ ଭିତରେ ଫରକ୍ ଥିବା ସୂଚନା ମିଳିଛି। ସେଥିପାଇଁ ପୁଣିଥରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହୋଇପାରେ ପୀଡ଼ିତାଙ୍କ ବୟାନ ରେକର୍ଡ। ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଘଟିଥିବା ବର୍ବର କାଣ୍ଡ ଆଜି ବି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ନାବାଳିକାଙ୍କୁ ଦିନ ଦ୍ବିପ୍ରହରରେ କିରୋସିନି ଢାଳି ଜାଳିଦେବା ଘଟଣା ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି। ସେହିଦିନ ନାବାଳିକାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିଲେ ହେଁ ସେ କଥାବାର୍ତ୍ତା କରୁଥିଲେ। ଏଥିପାଇଁ ତାଙ୍କର ଭୁବନେଶ୍ୱର ଏମ୍ସରେ ବୟାନ ରେକର୍ଡ କରାଯାଇଥିଲା। ଏହାପରେ ଅଧିକା ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲେ।ଅନ୍ୟପଟେ ତଦନ୍ତଭାର ନେଇଥିବା କ୍ରାଇମ୍ ବ୍ରାଞ୍ଚ ଟିମ୍ ପୀଡ଼ିତାଙ୍କ ବୟାନ ସାନି ରେକର୍ଡ ପାଇଁ ଦିଲ୍ଲୀ ଏମ୍ସରେ ପହଞ୍ଚିଥିଲେ। ହେଲେ ପୀଡ଼ିତା ଭୁବନେଶ୍ୱର ଏମ୍ସ ଓ ଦିଲ୍ଲୀ ଏମ୍ସରେ ଦେଇଥିବା ବୟାନ ମେଳ ଖାଉନଥିବା ସୂଚନା ମିଳିଛି। ତେଣୁ ପୀଡ଼ିତା ଏବେ ସୁସ୍ଥ ହେଉଥିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତୃତୀୟ ଥର ପାଇଁ ଦିଲ୍ଲୀରେ ପୋଲିସ ବୟାନ ରେକର୍ଡ ପାଇଁ ଯୋଜନା ରଖିଛି।