ନନ୍ଦିଘୋଷରେ ବିରାଜିଲେ ପ୍ରଭୁ ଜଗନ୍ନାଥ, ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

ଭୁବନେଶ୍ୱର,୦୫/୦୭: ଆଜି ମହାବାହୁଙ୍କ ବାହୁଡ଼ାଯାତ୍ରା । ଚକ୍ରରାଜ ସୁଦର୍ଶନ, ଦେବୀ ସୁଭଦ୍ରା ଓ ବଡ଼ ଠାକୁର ବଳଭଦ୍ର ଓ ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ନୀତି ସରିଛି । ଦର୍ପଦଳନରେ ଶ୍ରୀ ସୁଦର୍ଶନ ଓ ଦେବୀ ସୁଭଦ୍ରା, ତାଳଧ୍ବଜରେ ବିରାଜିଛନ୍ତି ପ୍ରଭୁ ବଳଭଦ୍ର ଓ ନନ୍ଦିଘୋଷରେ ବିରାଜିଛନ୍ତି ପ୍ରଭୁ ଜଗନ୍ନାଥ । ରଥାରୂଢ଼ ହେଲେ ତିନି ଠାକୁର । ଅନ୍ୟପଟେ ସବୁଥର ପହଣ୍ଡି ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସିନା ହଟ କରନ୍ତି ହେଲେ ଚକ୍ରରାଜ ସୁଦର୍ଶନ କି ମାଆ ସୁଭଦ୍ରାଙ୍କୁ ହଟ କରିବାର କେହି ଦେଖିଛନ୍ତି କି ? ନୁହେଁ ନା? ଆଜି କିନ୍ତୁ ବିରଳ ଦୃଶ୍ୟ ଦେଖିଲା ଏ ନେତ୍ର । ସବୁଥର ସୁରୁଖୁରୁରେ ଶୂନ୍ୟେ ଶୂନ୍ୟେ ପହଣ୍ଡି କରି ଯାଉଥିବା ମାଆ ସୁଭଦ୍ରା ଆଜି ଗୁଣ୍ଡିଚା ମନ୍ଦିରରୁ ଶୂନ୍ୟ ପହଣ୍ଡିରେ ବାହାରିବା ବେଳେ ହଠାତ୍ ଭାରି ହୋଇଗଲେ । ସମ୍ଭାଳି ପାରିଲେନି ସେବାୟତ । ଲତ୍ କିନା ବସିପଡ଼ିଲେ ମୋ ମାଆ ।