ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପଛର କାରଣ କହିଲା ବିଜେଡି

ଭୁବନେଶ୍ୱର,୧୮/୦୧:  ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପଛର କାରଣ କହିଛି ବିଜେଡି । ଦଳର ସାଧାରଣ ସମ୍ପାଦକ ଅମରେଶ ପତ୍ରୀଙ୍କ କହିବା ଅନୁସାରେ, ୨୨ ମାସ ହେଲା ଗୁଇନ୍ଦା ରିପୋର୍ଟ ନିଆଯାଉଥିଲା । ଆଉ ଏଥିରୁ ଜଣାପଡ଼ିଥିଲା ଯେ, ଟିକେଟ୍ ନେବା ପରଦିନଠୁ ଦଳ ସହ ଅରବିନ୍ଦ ମହାପାତ୍ର ବିଶ୍ୱାସ ଘାତକତା କରିଥିଲେ । ସାଂସଦ ପ୍ରାର୍ଥୀଙ୍କୁ ହରାଇବାକୁ ଷଡ଼ଯନ୍ତ୍ରର ମଙ୍ଗ ଧରିଥିଲେ ଅରବିନ୍ଦ । ନିଜ କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନ ଆଉ ସଭାପତି ନବୀନ ପଟ୍ଟନାୟକଙ୍କ ଫଟୋ ବି ରଖୁନଥିଲେ । ଖାଲି ସେତିକି ନୁହେଁ, ପଞ୍ଚାୟତରେ ଦଳ ଲୋକଙ୍କୁ ହଟାଇ ନିଜ ଲୋକଙ୍କୁ ଅରବିନ୍ଦ ରଖୁଥିଲେ ବୋଲି ଅଭିଯୋଗ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ । ଅମରେଶ ପତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଯୁବ ପ୍ରତିଭାଙ୍କୁ ନବୀନ ପଟ୍ଟନାୟକ ଅନେକ ସମୟରେ ସୁଯୋଗ ଦେଇଛନ୍ତି । ଆଗକୁ ବଢ଼ିବାକୁ ଦଳର ଅନେକ ଗୁରୁତ୍ଵପୂର୍ଣ୍ଣ ପଦପଦବୀରେ ମଧ୍ୟ ରଖିଛନ୍ତି। କିନ୍ତୁ ଦୁର୍ନୀତି ଓ ବିଶ୍ୱାସଘାତକ କାରଣରୁ ଦୁଇ ବିଧାୟକଙ୍କୁ ନିଲମ୍ବନ କରାଯାଇଛି । ବିନା ତଥ୍ୟରେ ଦଳର ସଭାପତି ନିଷ୍ପତି ନିଅନ୍ତିନି ବୋଲି ସେ କହିଛନ୍ତି।