ଆନ୍ଦୋଳନକାରୀ ଅମଲାଙ୍କ ପ୍ରତି କୋହଳ ହେଲେ ରାଜ୍ୟ ସରକାର, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପ୍ରତ୍ୟାହାର

ଭୁବନେଶ୍ୱର,୩୦/୧୨: ଆନ୍ଦୋଳନକାରୀ ଅମଲାଙ୍କ ପ୍ରତି କୋହଳ ହେଲେ ରାଜ୍ୟ ସରକାର। ଅଟକ ଦରମା ପ୍ରଦାନ ସହ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପ୍ରତ୍ୟାହାର କରିଛନ୍ତି। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ବିଭିନ୍ନ ଦାବି ନେଇ ଓଡିଶା ରାଜସ୍ୱ ଅମଲା ସଂଘ ନେତୃତ୍ବରେ ଅମଲା ମାନେ ଗତ ଅଗଷ୍ଟ ୧୧ ତାରିଖରୁ ସମୂହ ଛୁଟିରେ ରହିଥିଲେ । ସାରା ରାଜ୍ୟରେ ସରକାରୀ କାର୍ଯ୍ୟ ଠପ୍ ହୋଇଯାଇଥିଲା ।

ସମୂହ ଛୁଟି ପ୍ରତ୍ୟାହାର ନ ହେଲେ ତାହାକୁ ଅନଧିକୃତ ଛୁଟି ଭାବେ ଗ୍ରହଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ସେହିଭଳି କାର୍ଯ୍ୟରେ ଯୋଗ ନଦେଲେ ଦରମା ବନ୍ଦ ସହ ସର୍ଭିସ୍ ବ୍ରେକ ଭଳି କାର୍ଯ୍ୟାନୁଷ୍ଠାନ ନେଇଥିଲେ ସରକାର। ତେବେ ଦାବି ଗୁଡ଼ିକ ନେଇ ସରକାରଙ୍କ ସହ ଆଲୋଚନା ପରେ ଅଗଷ୍ଟ ୨୫ ତାରିଖରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । କିନ୍ତୁ ଅଟକ ଥିବା ଆନ୍ଦୋଳନର ୧୫ ଦିନର ଦରମା ପ୍ରଦାନ ଏବଂ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର ପାଇଁ ସଙ୍ଘ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଥିଲା ।