ଭେନେଜୁଏଲା ସୀମାରେ ବିମାନ ଦୁର୍ଘଟଣା, ସାଂସଦଙ୍କ ସମେତ ୧୫ ମୃତ

ନୂଆଦିଲ୍ଲୀ,୨୯/୦୧: କଲମ୍ବିଆ-ଭେନେଜୁଏଲା ସୀମାବର୍ତ୍ତୀ କାଟାଟୁମ୍ବୋ ଜଙ୍ଗଲରେ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି । । ଏହି ବିମାନ ଦୁର୍ଘଟଣାରେ ସାଂସଦଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ହୋଇଛି ।  କଲମ୍ବିଆର ସରକାରୀ ବିମାନ ସେବା ସଂସ୍ଥା ‘ସାଟେନା’ ଦ୍ୱାରା ପରିଚାଳିତ ଏହି ବିମାନରେ ଥିଲେ ୧୫ ଜଣ । ସମସ୍ତଙ୍କର ମୃତ୍ୟୁ ହୋଇଛି। ବିମାନଟି ସ୍ଥାନୀୟ ସମୟ ୧୧ଟା ୪୫ରେ କୁକୁଟାରୁ ଓକାନା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଏବଂ ଉଡ଼ାଣ ଭରିବାର ୨୦ ମିନିଟ୍ ପରେ ନିଖୋଜ ହୋଇଯାଇଥିଲା । ବିମାନଟି କାଟାଟୁମ୍ବୋର ଦୁର୍ଗମ ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଉଦ୍ଧାରକାରୀ ଦଳ ଚିହ୍ନଟ କରିଛନ୍ତି । ଏହି ବିମାନରେ ୧୩ ଜଣ ଯାତ୍ରୀ ଏବଂ ୨ ଜଣ କ୍ରିଉ ସଦସ୍ୟ ଥିଲେ । ମୃତକଙ୍କ ମଧ୍ୟରେ କଲମ୍ବିଆର ଜଣେ ପ୍ରତିଷ୍ଠିତ ସାଂସଦ ଡିଓଜେନେସ୍ କ୍ୱିଣ୍ଟେରୋ ମଧ୍ୟ ରହିଛନ୍ତି । କଲମ୍ବିଆ ବାୟୁସେନା ଏବଂ ସିଭିଲ୍ ଆଭିଏସନ୍ ପକ୍ଷରୁ ତୁରନ୍ତ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା ।  ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।