ଐତିହାସିକ କଟକ ବାଲିଯାତ୍ରାର ଶୁଭାରମ୍ଭ କରି ଏମିତି କହିଲେ ରାଷ୍ଟ୍ରପତି

ଭୁବନେଶ୍ୱର,୨୪/୧୧: ଐତିହାସିକ କଟକ ବାଲିଯାତ୍ରାର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାଲିଯାତ୍ରା ଉଦ୍‌ଘାଟନ ପୂର୍ବରୁ ଗଡ଼ଗଡ଼ିଆ ଘାଟରେ ଡଙ୍ଗା ଭସାଇଥିଲେ ରାଷ୍ଟ୍ରପତି। ତାଙ୍କ ସହ ରାଜ୍ୟପାଳ ବ୍ରଜ ମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଡ଼ଗଡ଼ିଆ ଘାଟରେ ଡଙ୍ଗା ଭସାଇଛନ୍ତି। ବାଲିଯାତ୍ରା ପଡ଼ିଆରେ ଓରମାସ୍ ଷ୍ଟଲ୍ ମଧ୍ୟ ଉଦ୍‌ଘାଟନ କରିଛନ୍ତି ରାଷ୍ଟ୍ରପତି। ଓରମାସର ବିଭିନ୍ନ ଷ୍ଟଲ୍‌ ବୁଲିବା ସହ ମହିଳା ଉଦ୍ୟୋଗୀଙ୍କ ସହ କଥା ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ତାଙ୍କ ସୁରକ୍ଷା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ୪୮ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଛି। ଏଥିପାଇଁ ୬ଜଣ ଡିସିପି, ୮ଜଣ ଅତିରିକ୍ତ ଡିସିପି, ୨୭ଜଣ ଏସିପି, ୫୫ଜଣ ଇନ୍ସପେକ୍ଟର ଓ ୧୭୦ଜଣ ଏସ୍‌ଆଇ ଓ ଏଏସ୍‌ଆଇ ନିୟୋଜିତ ହୋଇଛନ୍ତି।

ବାଲିଯାତ୍ରା ଉଦ୍‌ଘାଟନ ଅବସରରେ ରାଷ୍ଟ୍ରପତି ଅଭିଭାଷଣରେ କହିଥିଲେ କି ବିଶ୍ୱର ବିଭିନ୍ନ ଦେଶରେ ଏବେ ଆର୍ଥିକ ଅସ୍ଥିରତା ଲାଗିରହିଛି । କିନ୍ତୁ ଭାରତର ଅର୍ଥ ବ୍ୟବସ୍ଥା ସୁଦୃଢ଼ ରହିଛି । ସେପଟେ ଓଡ଼ିଶା ପ୍ରତି ପୁଞ୍ଜିନିବେଶକାରୀଙ୍କ ଆଗ୍ରହ ବଢ଼ୁଥିବାରୁ ଆଗକୁ ଓଡ଼ିଶା ଶିଳ୍ପ ହବ୍ ହେବାକୁ ଯାଉଛି ବୋଲି ସେ କହିଛନ୍ତି । ମଧୁ ବାବୁ ଓଡ଼ିଶାରେ ପ୍ରଥମେ ଉତ୍କଳ ଟ୍ୟାନେରୀ ଜରିଆରେ ଶିଳ୍ପ ଆରମ୍ଭ କରିଥିଲେ । ଆଗାମୀ ଦିନରେ ଯୁବପିଢ଼ି ଓଡ଼ିଶାର ଅର୍ଥନୀତିକୁ ସୁଦୃଢ଼ କରିବେ ବୋଲି ସେ ଆହ୍ୱାନ ଦେଇଛନ୍ତି । କଟକର ତାରକସି,କୋରାପୁଟ କଫି,କନ୍ଧମାଳ ହଳଦୀ ଏଭଳି ଅନେକ ଓଡ଼ିଆ ଜିନିଷର ବିଦେଶରେ ବି ଆଦର ରହିଛି । ଯାହା କି ଓଡ଼ିଶାର ବ୍ୟବସାୟକୁ ମଜବୁତ କରିଛି ।

Leave a Reply

Your email address will not be published. Required fields are marked *