ନୂଆଦିଲ୍ଲୀ,୨୪/୧୧: ପିତାମାତାଙ୍କୁ ଅବହେଳା କରିବା ଏଣିକି ପଡ଼ିବ ମହଙ୍ଗା । ନିଜ ବାପା-ମାଆଙ୍କ ସମ୍ପତ୍ତି ହାତେଇବା ପରେ ସେମାନଙ୍କ ଯତ୍ନ ନନେଲେ କିମ୍ବା ନିର୍ଯାତନା ଦେଲେ ମିଳିବ ୩ ବର୍ଷର ଜେଲ୍ ଦଣ୍ଡ । ବୃଦ୍ଧ ପିତାମାତାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ କେରଳ ସରକାର ଏଭଳି ଏକ କଡ଼ା ପଦକ୍ଷେପ ନେଇଛନ୍ତି । ରାଜ୍ୟ ବିଧାନସଭାରେ ଗୃହୀତ ହୋଇଥିବା ନୂଆ ବିଲ୍ରେ ଏହି ବ୍ୟବସ୍ଥା ରହିଛି । କେରଳମ୍ ମୁଖ୍ୟମନ୍ତ୍ରୀ ଭି.ଡି. ସତୀସନ୍ ଏନେଇ ଘୋଷଣା କରିଛନ୍ତି । ପଥାନାପୁରମର ଗାନ୍ଧୀ ଭବନରେ ବୟସ୍କ ପୁରୁଷଙ୍କ ପାଇଁ ନିର୍ମିତ ଏକ ଆଧୁନିକ ଆବାସିକ କେନ୍ଦ୍ର ‘ପିତୃମନ୍ଦିରମ୍’ର ଉଦ୍ଘାଟନ ଅବସରରେ ସେ ଏହି ସୂଚନା ଦେଇଥିଲେ । ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ଏହି କେନ୍ଦ୍ର ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ଅକ୍ଟୋବର ୨୬ ତାରିଖରେ ବିଧାନସଭାରେ ବୃଦ୍ଧବୃଦ୍ଧାଙ୍କ ଯତ୍ନ ଓ ସୁରକ୍ଷା ସମ୍ପର୍କିତ ଏହି ବିଲ୍ ଗୃହୀତ ହୋଇଛି । ଏଥିରେ ପିତାମାତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହେବା ପରେ ସେମାନଙ୍କୁ ଅବହେଳା କରୁଥିବା ସନ୍ତାନଙ୍କ ପାଇଁ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି । ତେବେ ରାଜ୍ୟପାଳଙ୍କ ଅନୁମୋଦନ ମିଳିବା ପରେ ଏହା ଆଇନରେ ପରିଣତ ହେବ ।