ଭୁବନେଶ୍ୱର,୨୪/୧୧: ଧୂଆଁରେ ଉଡ଼ୁଛି ହଜାର ହଜାର କୋଟି କୋଟି ଟଙ୍କା । ଗୋଟିଏ ବର୍ଷରେ ୨୧ ଶହ କୋଟିରୁ ଅଧିକ ଟଙ୍କାର ସିଗାରେଟ୍ ଫୁଙ୍କି ଉଡ଼ାଇ ଦେଇଛନ୍ତି ଓଡ଼ିଶାବାସୀ । ବିଧାନସଭାରୁ ଆସିଛି ଏଭଳି ଏକ ସାଙ୍ଘାତିକ ତଥ୍ୟ। ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାବାସୀ ୨ ହଜାର ୧୦୩ କୋଟି ୯୬ ଲକ୍ଷ ୮୬ ହଜାର ୬୮୬ ଟଙ୍କାର ସିଗାରେଟ୍ ଟାଣି ସାରିଛନ୍ତି। ଆଉ ଏହି ସିଗାରେଟ୍ ବିକ୍ରିରୁ ରାଜ୍ୟ ରାଜକୋଷକୁ ଆସିଛି ୩୧୯ କୋଟି ୫୪ ଲକ୍ଷ ୧୩ ହଜାର ୪୨ ଟଙ୍କାର ରାଜସ୍ୱ । ଖୋଦ୍ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି। ବଡ଼ କଥା ହେଉଛି, ଚଳିତ ବର୍ଷ ଫେବ୍ରୁଆରି ମାସରେ ସିଗାରେଟ୍ ଉପରେ ଜିଏସଟି ୨୮ ପ୍ରତିଶତରୁ ବୃଦ୍ଧି କରାଯାଇ ୪୦ ପ୍ରତିଶତ କରାଯାଇଛି। ଅର୍ଥାତ୍ ସିଗାରେଟ୍ ଦାମ୍ ଆକାଶଛୁଆଁ ହୋଇଛି। ତଥାପି ଲୋକଙ୍କ ଭିତରେ ସିଗାରେଟ୍ ଟାଣିବା ନିଶା କମିନାହିଁ। କେବଳ ଦେଶୀ ନୁହେଁ, ବରଂ ରାଜ୍ୟରେ ବିଦେଶୀ ସିଗାରେଟର ମଧ୍ୟ ବେଶ୍ ଚାହିଦା ରହିଥିବା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି।