ଭୁବନେଶ୍ୱର,୨୩/୧୧: ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ରାଜ୍ୟ ସରକାର ଚାକିରିରୁ ନିଲମ୍ବିତ କରିଛନ୍ତି। ତାଙ୍କୁ ପ୍ରାଣୀ ସଂପଦ ବିଭାଗ ନିଲମ୍ବିତ କରିଥିବା ଜଣାଯାଇଛି। ଜେଲ୍ ଯିବା ପରେ ବିଦ୍ୟାଭାରତୀ ପଣ୍ଡାଙ୍କୁ କାହିଁକି ଚାକିରିରୁ ନିଲମ୍ବିତ କରାଯାଉନାହିଁ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ହେଉଥିଲା। ସୂଚନାଯୋଗ୍ୟ, ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ପଣ୍ଡା ଏବେ ଜେଲରେ ଅଛନ୍ତି। ପ୍ରକାଶ ଥାଉକି, ୨୦୨୧ ଜୁଲାଇ ୧୧ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ରହସ୍ୟଜନକ ପରିସ୍ଥିତିରେ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିଲେ। ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିଲା। ପ୍ରଥମେ ତାଙ୍କୁ ବ୍ରହ୍ମପୁର ଓ ପରେ କଟକର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଜୁଲାଇ ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।