ଆସନ୍ତାକାଲି ଆରମ୍ଭ ହେବ ବାଲିଯାତ୍ରା, ୭୦ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୪୦୦ ଅଫିସର୍ ପଡ଼ିଆ ଭିତରେ ନିୟୋଜିତ

ଭୁବନେଶ୍ୱର,୨୩/୧୧: ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ଐତିହାସିକ କଟକ ବାଲିଯାତ୍ରା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ଆଇନ ଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣ ପାଇଁ କଟକ କମିସନରେଟ୍ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି। ବାଲିଯାତ୍ରାର ଉଭୟ ତଳ ଓ ଉପର ପଡ଼ିଆରେ ୧୨ ଶହ ଏଆଇ କ୍ୟାମେରା ଲଗାଯାଇଛି। ୭୦ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୪୦୦ ଅଫିସର୍ ପଡ଼ିଆ ଭିତରେ ନିୟୋଜିତ ହେବେ। ପଡ଼ିଆରେ ୩୮ ଟି ପୋଲିସ ୱାଚ୍ ଟାୱାର କରାଯାଇଛି। ଏହାରି ଉପରୁ ବନ୍ଧୁକଧାରୀ ପୁଲିସ ଭିଡ଼ ଉପରେ ନଜର ରଖିବେ। କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ରବିବାର ବାଲିଯାତ୍ରା ପଡ଼ିଆ ବୁଲି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଉବୟ ପଡ଼ିଆରେ ୧୮ ଟି ପୋଲିସ ସହାୟତା କେନ୍ଦ୍ର କରାଯିବ। ବାଲିଯାତ୍ରା ପଡ଼ିଆରେ ମୋବାଇଲ, ଚେନ ଓ ମନି ପର୍ସ ଛିନତାଇ, ଚୋରି ଏବଂ ଅସାମାଜିକ ତତ୍ତ୍ବଙ୍କ ଉତ୍ପାତକୁ ଦୃଷ୍ଟିରେ ରଖି ଏହି ସହାୟତା କେନ୍ଦ୍ର କରାଯାଇଛି। ଅଭିଯୋଗକାରୀ କ୍ୟାଣ୍ଟନମେଣ୍ଟ ଥାନାକୁ ଯିବା ବଦଳରେ ଏହି କେନ୍ଦ୍ରରେ ନିଜର ଅଭିଯୋଗ ଦେଇପାରିବେ। ଟ୍ରାଫିକ ବ୍ୟବସ୍ଥାକୁ ପରିଚାଳନାକୁ କରିବାକୁ ମୁଖ୍ୟ ଦାୟିତ୍ବରେ ଅତିରିକ୍ତ ଟ୍ରାଫିକ ଡିସିପି ରହିବେ। ତାଙ୍କ ଅଧିନରେ ଜଣେ ଟ୍ରାଫିକ ଏସିପି, ଦୁଇ ଜଣ ଇନସ୍ପେକ୍ଟର, ୪ ଜଣ ଏସଆଇ, ୧୦ ଜଣ ଏଏସଆଇ ଓ ୧୦୦ ଟ୍ରାଫିକ କନଷ୍ଟେବଳ ଦାୟିତ୍ବରେ ରହିବେ। ଅନ୍ୟପଟେ ବାଲିଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା।

Leave a Reply

Your email address will not be published. Required fields are marked *