ଭୁବନେଶ୍ୱର,୨୩/୧୧: ପଞ୍ଚୁକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ । ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲାଗିଛି ଭକ୍ତଙ୍କ ନାହିଁ ନଥିବା ଭିଡ଼ । ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ବ୍ରତର ଆଜି ଚତୁର୍ଥ ଦିନ । ଏହି ଅବସରରେ ଶ୍ରୀମନ୍ଦିରରେ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ଦର୍ଶନ କରି ଭାବବିହ୍ୱଳ ହେଉଛନ୍ତି ଭକ୍ତ ଓ ବ୍ରତଧାରୀ ।ପବିତ୍ର କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ହେଉଛି ପଞ୍ଚୁକ । ଏହି ପାଞ୍ଚ ଦିନରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଆଜି ପଞ୍ଚୁକ ବ୍ରତର ଚତୁର୍ଥ ଦିନ ହୋଇଥିବାରୁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।
ମହାପ୍ରଭୁଙ୍କ ମସ୍ତକରେ ସୁନା ଖଚିତ କିଆ ଲାଗି କରାଯାଇଛି । ଏହି ମନୋରମ ବେଶରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଭୋରରୁ ହିଁ ମନ୍ଦିରରେ ଲମ୍ବା ଧାଡ଼ି ଲାଗିଛି । ସେପଟେ ଆସନ୍ତାକାଲି ପଞ୍ଚୁକର ଶେଷ ଦିନ । ଅର୍ଥାତ୍ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଦିନରେ ଶ୍ରୀଜିଉ ସୁନା ଅଳଙ୍କାରରେ ବିଭୂଷିତ ହୋଇ ରାଜରାଜେଶ୍ୱର ବା ରାଜାଧିରାଜ ବେଶରେ ଦର୍ଶନ ଦେବେ । ମହାପ୍ରଭୁଙ୍କ ଏହି ବିରଳ ସୁନାବେଶ ଦର୍ଶନ ପାଇଁ ଆସନ୍ତାକାଲି ମଧ୍ୟ ଶ୍ରୀକ୍ଷେତ୍ରରେ ବିପୁଳ ଭକ୍ତ ସମାଗମ ହେବାର ଆଶା ରହିଛି ।