ଭୁବନେଶ୍ୱର, ୦୬/୧୧: ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ତୃତୀୟ ପର୍ଯ୍ୟାୟରେ ରାଜ୍ୟବ୍ୟାପୀ ୬୩୦ଟି ସ୍କୁଲର ଭିତ୍ତିପ୍ରସ୍ତର ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରରେ ସ୍ଥାପନ କରିଛନ୍ତି। ଏଥିରୁ କେବଳ କେନ୍ଦୁଝର ଜିଲ୍ଲାର ୩୫ଟି ବିଦ୍ୟାଳୟ ରହିଛି। ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟୟରେ ଏହି ସମସ୍ତ ବିଦ୍ୟାଳୟ ନିର୍ମାଣ ହେବ। ଏହାସହ ମୋଟ ୧୨୯୨ କୋଟି ଟଙ୍କାର ବ୍ୟୟରେ ୩୩୦ଟି ଅନ୍ୟ ପ୍ରକଳ୍ପର ମଧ୍ୟ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।ରାଜ୍ୟରେ ଶିକ୍ଷାର ଭିତ୍ତିଭୂମିର ବିକାଶ ସମ୍ପର୍କରେ ତଥ୍ୟ ରଖି ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଥମ ୩ ବର୍ଷରେ ୨ ହଜାର ୨୦୦ ବିଦ୍ୟାଳୟକୁ ସୁଦୃଢ଼ କରିବା ପାଇଁ ୨୦୨୫-୨୬ ରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଅନୁନ୍ୟ ୫ ଏକର ଜମି ଓ ଗମନାଗମନର ସୁବିଧା ଥିବା ଗ୍ରାମଗୁଡ଼ିକରେ ଏହି ସ୍କୁଲ ସ୍ଥାପିତ ହେଉଛି। ପୂର୍ବରୁ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମସ୍ଥାନ ବାଣପୁରରୁ ୧୧୮ଟି ଏବଂ ଖୋର୍ଦ୍ଧାରୁ ୨୦୪ଟି ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାବେଳେ ଆଜି ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୬୩୦ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି। ମୋଟ ୯୫୨ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସହ ଶିକ୍ଷାର ରୂପାନ୍ତରଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।