ଭୁବନେଶ୍ୱର,୦୬/୧୧: ଜାତୀୟ ମେଡିକାଲ କମିଶନ (NMC) ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ପିଜି ଅନୁଷ୍ଠାନରେ ୧୪ଟି ବିଭାଗରେ ୩୧୮ଟି ପିଜି ସିଟ୍ ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ବୃଦ୍ଧି ଯୋଗୁଁ ରାଜ୍ୟରେ ମୋଟ ପିଜି ସିଟ୍ ସଂଖ୍ୟା ୬୨୦ରୁ ବୃଦ୍ଧି ପାଇ ୯୩୮ରେ ପହଞ୍ଚିଛି। ପୂର୍ବରୁ ରାଜ୍ୟର କଟକ ସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ, ବୁର୍ଲା ସ୍ଥିତ ଭୀମସାର, ବଲାଙ୍ଗୀର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ, ବାଲେଶ୍ୱର ସ୍ଥିତ ଫକିରମୋହନ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ଏବଂ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ସମେତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ ଓ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରରେ ପିଜି ମେଡିକାଲ ଶିକ୍ଷା ପ୍ରଦାନ କରାଯାଉଥିଲା ।
ଆଜି ଜାତୀୟ ମେଡିକାଲ କମିଶନଙ୍କ ଅନୁମୋଦନ କ୍ରମେ ରାଜ୍ୟର ନୂତନ ସରକାରୀ ମେଡିକାଲ କଲେଜଗୁଡ଼ିକରେ ପ୍ରଥମ ଥର ପାଇଁ ପିଜି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏଥିମଧ୍ୟରେ କେନ୍ଦୁଝରର ଧରଣୀଧର ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ୧୦ଟି ବିଭାଗରେ ୪୪ଟି, ସୁନ୍ଦରଗଡର ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ୮ଟି ବିଭାଗରେ ୨୨ଟି, କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ୯ଟି ବିଭାଗରେ ୨୮ଟି, ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ୧୦ଟି ବିଭାଗରେ ୩୨ଟି ଏବଂ ଫୁଲବାଣୀର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ୮ଟି ବିଭାଗରେ ୨୭ଟି ପିଜି ସିଟ୍ ଅନୁମୋଦନ ମିଳିଛି ।