ପୁରୀରେ ମା’ଙ୍କୁ ହତ୍ୟା କରି ରୋଷେଇ ଘରେ ପ୍ଳାଷ୍ଟର କରିବା ଘଟଣା, ୫୭ ଦିନ ପରେ ଅଭିଯୁକ୍ତ ପୁଅ ଗିରଫ

ଭୁବନେଶ୍ୱର,୨୦/୧୦: ପୁରୀରେ ମା’ଙ୍କୁ ହତ୍ୟା କରି ରୋଷେଇ ଘରେ ମୃତଦେହ ପୋତିଦେବା ପରେ ଫେରାର୍ ହୋଇଯାଇଥିଲା ପୁଅ। ଦୀର୍ଘ ୫୭ ଦିନ ପରେ ଶେଷରେ ପୋଲିସ ହାତରେ ଧରାପଡ଼ିଛି ଅଭିଯୁକ୍ତ। ଝାଡ଼ଖଣ୍ଡର ଟାଟାନଗରରୁ ଅଭିଯୁକ୍ତ ମଦନ ଦଳେଇକୁ ଗିରଫ କରିଛି ପୁରୀ ପୋଲିସ। ସେଠାରେ ଏକ ଦୋକାନରେ କାମ କରୁଥିଲା ମଦନ। ଏନେଇ ପୁରୀ ଏସ୍‌ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ପୁରୀର କୁମ୍ଭାରପଡ଼ା ଥାନା ଅଞ୍ଚଳରେ ଏକ ଭଡ଼ା ଘରେ ମା’ ଓ ପୁଅ ରହୁଥିଲେ। ଉଭୟଙ୍କ ଘର ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖରଡ଼ା ଗାଁରେ। ଅଭିଯୋଗ ଅନୁସାରେ, ମଦନ ନିଜ ମା’ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ରୋଷେଇ ଘରେ ପୋତି ଦେଇଥିଲା। ଏହାପରେ ମୃତଦେହ ପୋତାଯାଇଥିବା ସ୍ଥାନ ଉପରେ ପ୍ଲାଷ୍ଟର କରି ଫେରାର୍ ହୋଇଯାଇଥିଲା। ଗତ ଅଗଷ୍ଟ ୨୪ ତାରିଖରେ ଏହି ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା। ଘଟଣା ପରଠାରୁ ଅଭିଯୁକ୍ତ ମଦନର କୌଣସି ପତ୍ତା ମିଳୁନଥିଲା। ତାକୁ ଧରିବା ପାଇଁ ପୁରୀ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲା। ତଦନ୍ତ ବେଳେ ମଦନ ନିଜ ମା’ଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ଏହି ଘଟଣାର ପଛରେ ଥିବା କାରଣ ଓ ଅନ୍ୟାନ୍ୟ ଦିଗ ନେଇ ପୋଲିସର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *