ନୂଆଦିଲ୍ଲୀ,୧୯/୧୦ : ଜୁଲାଇରେ ଦିଲ୍ଲୀ ଜନ୍ତରମନ୍ତରରେ ଆନ୍ଦୋଳନ ବେଳେ ହିଂସା ଘଟଣାର ତଦନ୍ତ ପାଇଁ ଖୋଲିଲା ସ୍ୱତନ୍ତ୍ର ପୋର୍ଟାଲ । ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟି ପକ୍ଷରୁ ଖୋଲାଯାଇଛି ଏହି ପୋର୍ଟାଲ୍ । ଏହି ପୋର୍ଟାଲରେ ଅଭିଯୋଗ ସହ ପ୍ରମାଣ ଦାଖଲ କରିପାରିବେ ପ୍ରଭାବିତ ବ୍ୟକ୍ତି ବା ଆନ୍ଦୋଳନକାରୀ । ଜନ୍ତରମନ୍ତରରେ ଜୁଲାଇ ମାସରେ ହୋଇଥିବା ଆନ୍ଦୋଳନ ସମୟରେ ହିଂସା ଓ ପେଲେଟ୍ ଗନ୍ ବ୍ୟବହାର ସମ୍ପର୍କିତ ଅଭିଯୋଗର ତଦନ୍ତ ପାଇଁ ଏହି ଅନଲାଇନ୍ ପୋର୍ଟାଲ ଆରମ୍ଭ କରାଯାଇଛି । ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଆର୍. ସୁଭାଷ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ କମିଟି ଏହି ଘଟଣାର ତଦନ୍ତ କରୁଛନ୍ତି । ଦାଖଲ ହେଉଥିବା ଅଭିଯୋଗ ଓ ପ୍ରମାଣ ଆଧାରରେ ଘଟଣାର ବିଭିନ୍ନ ଦିଗ ଯାଞ୍ଚ କରାଯିବା ନେଇ ସୂଚନା ରହିଛି । -hpec.nic.in ପୋର୍ଟାଲ ମାଧ୍ୟମରେ ଅଭିଯୋଗ ଦାଖଲ କରିହେବ । ପୀଡ଼ିତ ଓ ପ୍ରତ୍ୟକ୍ଷଦର୍ଶୀ ପୋର୍ଟାଲରେ ଅଭିଯୋଗ ଦାଖଲ କରିପାରିବେ । ଫଟୋ, ଭିଡିଓ ଓ ଅନ୍ୟାନ୍ୟ ପ୍ରମାଣ ଦାଖଲ କରିପାରିବେ । ପ୍ରଭାବିତ ବ୍ୟକ୍ତି ଚାହିଁଲେ ତାଙ୍କ ପରିଚୟ ଗୋପନୀୟ ରଖାଯିବ ।