ଭୁବନେଶ୍ୱର,୧/୧୦: ଦୀର୍ଘଦିନ ଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଆସୁଥିବା ମହାନଦୀ ଜଳବିବାଦର ସମାଧାନ ନେଇ ଆଶା ବଢ଼ିଛି। ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି। ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଏବଂ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲଙ୍କ ସମେତ ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ବୈଷୟିକ କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ। ଆଜିର ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ସୂଚନା ମିଳିଛି । ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ସରକାର ପରିବର୍ତ୍ତନ ପରେ ମହାନଦୀ ଜଳବିବାଦର ସମାଧାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ୨୦୨୫ ଜୁଲାଇ ଓ ଅଗଷ୍ଟରୁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ତରରେ ଆଲୋଚନା ଆରମ୍ଭ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ମୁଖ୍ୟ ଶାସନ ସଚିବ ଓ ଜଳସମ୍ପଦ ସଚିବ ସ୍ତରରେ ମଧ୍ୟ ଏକାଧିକ ବୈଠକ ହୋଇଛି ବୋଲି ସେ କହିଛନ୍ତି ।
ସେହି ବୈଠକରେ ଉଭୟ ରାଜ୍ୟ ଆଲୋଚନା ମାଧ୍ୟମରେ ସମାଧାନ ଦିଗରେ ଆଗକୁ ବଢ଼ିବାକୁ ସହମତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଏହି ପ୍ରକ୍ରିୟାରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି ଏବଂ ଏବେ ଉଭୟ ରାଜ୍ୟର ତଥ୍ୟ ଓ ବୈଷୟିକ ରିପୋର୍ଟକୁ ଆଧାର କରି ସମାଧାନର ବାଟ ଖୋଜାଯିବ। କେନ୍ଦ୍ରୀୟ ଜଳ ଆୟୋଗ (CWC) ଏହି ପ୍ରକ୍ରିୟାରେ ମୁଖ୍ୟ ଭୂମିକା ନେବ। ମୋହନ ମାଝୀ କହିଛନ୍ତି, ଧୀରେ ଧୀରେ ସମାଧାନର ନିକଟତର ହେଉଛୁ । ତିନି ମାସ ମଧ୍ୟରେ ଏନେଇ ନିଷ୍କର୍ଷ ବାହାରିବା ନେଇ ଆଶା ରହିଛି । CWC ଓ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପରବର୍ତ୍ତୀ ପ୍ରକ୍ରିୟାକୁ ଆଗକୁ ନେବେ ବୋଲି ସେ ସୂଚନା ଦେଇଛନ୍ତି।