ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ବନ୍ଧା ହେଲା ରୋଷେୟା ମନ୍ମଥ କୁମ୍ଭ

ଭୁବନେଶ୍ୱର,୩୦/୦୯: ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆଉ ଏକ କାର୍ୟ୍ୟାନୁଷ୍ଠାନ। ବନ୍ଧା ହେଲା ରୋଷେୟା ମନ୍ମଥ କୁମ୍ଭ। ଜାମିନ୍ ବିହୀନ ଗିରଫ ପରୱାନା ବଳରେ ନିଜ ଗାଁରୁ ଗିରଫ କରିଛି ପୋଲିସ। ଏପଟେ ପତ୍ନୀ ବିଦ୍ୟାଭାରତୀଙ୍କ ଅଡ଼ୁଆ ବଢ଼ିଛି। ସୁପ୍ରିମକୋର୍ଟରେ ତାଙ୍କ ଆବେଦନ ଖାରଜ ହୋଇଛି। ଫଳରେ ଯେକୌଣସି ମୁହୂର୍ତ୍ତରେ ବିଦ୍ୟାଭାରତୀଙ୍କୁ ଗିରଫ କରିପାରେ ପୁଲିସ।

ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଅଦାଲତଙ୍କ ଦ୍ୱାରା ଜାରି ଜାମିନବିହୀନ ଗିରଫ ପରୱାନା ବଳରେ ବାନ୍ଧିଛି ପୁଲିସ। ମନ୍ମଥ ନିଜ ଗାଁରେ ଥିବା ନେଇ ଖବର ମିଳିଥିଲା। ଏହା ପରେ ଏକ ସ୍ବତନ୍ତ୍ର ଟିମ୍ ରାୟଗଡ଼ା କୁରୁଜାଙ୍ଗରେ ଅଚାନକ୍ ଚଢାଉ କରି ଗିରଫ କରିଛି। ଏସ୍‌ଡିଜେଏମ୍ କୋର୍ଟରେ ହାଜର ପରେ ଜାମିନ୍ ଶୁଣାଣି କରାଯାଇଥିଲେ ବି ନାମଞ୍ଜୁର ହୋଇଛି।

୨୦୨୧ ଜୁଲାଇ ୧୧ ରାତିରେ ପାରଳାଖେମୁଣ୍ଡି ସ୍ଥିତ ସରକାରୀ କ୍ୱାର୍ଟର୍ସରେ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ଜୁଲାଇ ୧୩ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ଏହାକୁ ହତ୍ୟା ବୋଲି ଅଭିଯୋଗ କରି ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡା, ରୋଷେୟା ମନ୍ମଥ କୁମ୍ଭ ଓ ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ନାଁରେ ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *