ନୂଆଦିଲ୍ଲୀ,୩୦/୦୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ନାମକୁ ସୁପର ଇଣ୍ଟେଲିଜେନ୍ସ(ଏସଆଇ) ଭାବେ ପରିବର୍ତ୍ତନ କରିଛନ୍ତି। ଏବେ ସରକାରୀ ଯୋଗାଯୋଗରେ କେବଳ ସୁପର ଇଣ୍ଟେଲିଜେନ୍ସ ଶବ୍ଦ ବ୍ୟବହାର କରାଯିବ । ଏନେଇ ସେ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରିଛନ୍ତି। ଯେଉଁଥିରେ ସଂଘୀୟ ସରକାରଙ୍କୁ ଏହି ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଛି । ଟ୍ରମ୍ପ କହିଛନ୍ତି ଯେ, ନୂତନ ନାମ ଏହି ପ୍ରଯୁକ୍ତିର ଦ୍ରୁତ ବିକାଶକୁ ଭଲ ଭାବରେ ପ୍ରତିଫଳିତ କରିବ। ତେବେ ଏହି ନିର୍ଦ୍ଦେଶ ପୁରୁଣା ମାମଲା ପାଇଁ ପ୍ରଯୁଜ୍ୟ ହେବ ନାହିଁ ଏବଂ ବିଦ୍ୟମାନ ନିୟମ, ସରକାରୀ ଚୁକ୍ତିନାମା, ଅନୁଦାନ ଏବଂ ପୁରୁଣା ରେକର୍ଡ ପରିବର୍ତ୍ତନ କରାଯିବ ନାହିଁ। ଟ୍ରମ୍ପ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଇଣ୍ଟରନେଟ୍ ଠାରୁ ବଡ଼ ବୋଲି ବର୍ଣ୍ଣନା କରିଛନ୍ତି।ସୁପର ଇଣ୍ଟେଲିଜେନ୍ସର ଯୁଗର ଉଦଘାଟନ ନାମକ ଏହି ଆଦେଶ ଅନୁଯାୟୀ, ଫେଡେରାଲ ବିଭାଗ ଏବଂ ଏଜେନ୍ସିଗୁଡ଼ିକୁ ସରକାରୀ ଯୋଗାଯୋଗ, ସାର୍ବଜନୀନ ଯୋଗାଯୋଗ, ୱେବସାଇଟ୍, ରିପୋର୍ଟ ଏବଂ ପ୍ରଶାସନିକ ନୀତି ଡକ୍ୟୁମେଣ୍ଟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବଦଳରେ ଏଣିକି ସୁପର ଇଣ୍ଟେଲିଜେନ୍ସ ଶବ୍ଦ ବ୍ୟବହାର କରିବାକୁ ପଡିବ। ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଯୁକ୍ତରାଷ୍ଟ୍ର ବୁଦ୍ଧିମତ୍ତା କ୍ଷେତ୍ରରେ ଏକ ନୂତନ ପ୍ରଯୁକ୍ତିବିଦ୍ୟା ବିପ୍ଳବର ଆଗରେ ଅଛି।