ଭୁବନେଶ୍ୱର,୨୯/୦୯: ଓଡ଼ିଶା ଜନବିଶ୍ୱାସ ବିଲ୍ ୨୦୨୬ ପାରିତ ହୋଇଛି । ଏହା କେବଳ ଆଇନର କିଛି ପ୍ରାବଧାନ ସଂଶୋଧନ କରିବାର ବିଲ୍ ନୁହେଁ, ଏହା ଏକ ନୂଆ ଚିନ୍ତାଧାରାର ପ୍ରତୀକ । ସେହି ନୂଆ ଚିନ୍ତାଧାରା ହେଉଛି-ସରଳ ନିୟମ, ସୁଦୃଢ଼ ବିଶ୍ୱାସ ଏବଂ ଦ୍ରୁତ ବିକାଶ । ୧୬ଟି ରାଜ୍ୟ ଆଇନର ୬୨ଟି ପ୍ରାବଧାନରେ ସଂଶୋଧନ ଅଣାଯାଇଛି । ଏଥିରେ ମୁଖ୍ୟତଃ ଦୁଇଟି ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି । ଡିକ୍ରିମିନାଲାଇଜେସନ୍ ଓ ଡି-ରେଗୁଲେସନ୍। ଛୋଟ, ବୈଷୟିକ କିମ୍ବା ପ୍ରକ୍ରିୟାଗତ ଭୁଲ ପାଇଁ ଅନାବଶ୍ୟକ ଭାବେ ଅପରାଧିକ ମାମଲା କିମ୍ବା କଠୋର ଦଣ୍ଡର ବ୍ୟବସ୍ଥା ନକରି, ତାହାକୁ ଅଧିକ ଆନୁପାତିକ ଆର୍ଥିକ ଦଣ୍ଡ ଓ ସରଳ ପ୍ରାଶାସନିକ ବ୍ୟବସ୍ଥା ମାଧ୍ୟମରେ ସମାଧାନ କରିବା ଉପରେ ଗୁରୁତ୍ୱ ରହିଛି । ବିଲ୍ର ଲକ୍ଷ୍ୟ ହେଉଛି ଇଜ୍ ଅଫ୍ ଡୁଇଂ ବିଜନେସ୍କୁ ଆହୁରି ସରଳ କରିବା । ଅନାବଶ୍ୟକ ଲାଇସେନ୍ସ, ଅନୁମୋଦନ ଓ ପୁନରାବୃତ୍ତି ହେଉଥିବା ପ୍ରକ୍ରିୟାକୁ କମାଇବା ସହିତ ଅନେକ କ୍ଷେତ୍ରରେ ଲାଇସେନ୍ସ ଓ ପଞ୍ଜୀକରଣର ଅବଧି ବଢ଼ାଇବା ଭଳି ପଦକ୍ଷେପ ରହିଛି ।