ଭୁବନେଶ୍ୱର,୨୬/୦୯: ଲଗାଣ ବର୍ଷା ଯୋଗୁଁ ପୁରୀ ସମୁଦ୍ର ଅଶାନ୍ତ ରୂପ ଧାରଣ କରିଛି । ପୁରୀ ବେଳାଭୂମିର କିଛି ଅଞ୍ଚଳରେ କୂଳ ଖାଇଛି ସମୁଦ୍ର। ସମୁଦ୍ରରେ ବଡ଼ ବଡ଼ ଲହଡି ଆସି ବାଲି ଅତଡ଼ା ଖସିବାରେ ଲାଗିଛି, ଏବଂ ବଡ଼ ବଡ଼ କାଠ ଗଣ୍ଡି ଆସି କୂଳରେ ଲାଗିଛି । ପ୍ରବଳ ପବନ ସହ ଲଗାତାର ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ, ପୁରୀର ମଙ୍ଗଳା ମୁହାଣ ନିକଟରେ ସମୁଦ୍ର କୂଳ ଲଙ୍ଘିଛି । ବଳିଆପଣ୍ଡାରୁ ହୋଟେଲ୍ ଷ୍ଟର୍ଲିଂ ପର୍ଯ୍ୟନ୍ତ ପ୍ରାୟ ୧ କିଲୋମିଟର ଅଞ୍ଚଳରେ ବାଲି ଅତଡ଼ା ଖସିଛି । ସୁରକ୍ଷା ଦୃଷ୍ଟିରୁ ଏହି ସ୍ଥାନରେ ପର୍ଯ୍ୟଟକମାନଙ୍କ ସ୍ନାନ ଉପରେ କଟକଣା ମଧ୍ୟ ଲଗାଯାଇଛି । ଇରିଗେସନ୍ ଓ ଡ୍ରେନେଜ୍ ବିଭାଗ ସହ ମିଶି ଏହା ଉପରେ ନଜର ରଖାଯାଉଛି । ବୈଷୟିକ ଟିମ୍ ଯାହା ପରାମର୍ଶ ଦେବେ, ସେହି ଅନୁସାରେ ଆଗକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।