ରାଜ୍ୟରେ ପ୍ରବଳ ବର୍ଷା ଜାରି, ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ କହିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର,୨୫/୦୯: ରାଜ୍ୟରେ ଲାଗି ରହିଛି  ବର୍ଷା। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷାର ପ୍ରଭାବ ଜାରି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟାକୁ ନେଇ ସତର୍କ କରାଯାଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଲୋକଙ୍କୁ ସତର୍କ ରହିବା ସହ ଆବଶ୍ୟକ ନଥିଲେ ବିପଦପୂର୍ଣ୍ଣ ଅଞ୍ଚଳକୁ ନଯିବାକୁ ପରାମର୍ଶ ଦେଇଛନ୍ତି । ସୂଚନା ଅନୁସାରେ, ଚଳିତ ବର୍ଷ ରାଜ୍ୟରେ ଏପର୍ଯ୍ୟନ୍ତ ସ୍ୱାଭାବିକଠାରୁ ପ୍ରାୟ ୩୧ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ବର୍ତ୍ତମାନ ବର୍ଷା ଆଣୁଥିବା ଅବପାତ ଦୁର୍ବଳ ହୋଇ ଦକ୍ଷିଣ ଭିତର ଓଡ଼ିଶା ଓ ଛତିଶଗଡ଼ ନିକଟରେ ରହିଛି। ଆଜି ସକାଳ ୫ଟା ୩୦ ସୁଦ୍ଧା ଏହା ନୂଆପଡ଼ା ନିକଟରେ କେନ୍ଦ୍ରୀଭୂତ ଥିଲା ଏବଂ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଥିବା ନେଇ ପାଣିପାଗ ବିଭାଗ କହିଛି। ଆଗାମୀ କିଛି ସମୟରେ ଏହା ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି । ତଥାପି ଏହାର ପ୍ରଭାବରେ ଆଜି ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଜାରି ରହିବ । IMD ପକ୍ଷରୁ ୨୫ ସେପ୍ଟେମ୍ବର ପାଇଁ ବହୁତ ପ୍ରବଳ ବର୍ଷା ଏବଂ ୨୬ ସେପ୍ଟେମ୍ବର ପାଇଁ ପ୍ରବଳ ବର୍ଷାର ଚେତାବନୀ ଜାରି କରାଯାଇଛି ।

ବର୍ଷା ଆହୁରି ଜାରି ରହିଲେ ତଳିଆ ଓ ବିପଦପ୍ରବଣ ଅଞ୍ଚଳରେ ପାଣି ଜମିବା, ଯୋଗାଯୋଗ ବାଧାପ୍ରାପ୍ତ ହେବା ଏବଂ ଚାଷଜମିରେ ଅଧିକ କ୍ଷତିର ଆଶଙ୍କା ରହିଛି ।  ଆଗାମୀ ୨୪ ଘଣ୍ଟାରେ ଲୋକେ ପାଣିପାଗ ବିଭାଗ ଓ ପ୍ରଶାସନର ନିର୍ଦ୍ଦେଶ ମାନିବା ସହ ସତର୍କ ରହିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *