ତେଲେଙ୍ଗାନାର ଏକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୨ ନବଜାତ ଶିଶୁ ମୃତ

ନୂଆଦିଲ୍ଲୀ,୨୨/୦୯: ତେଲେଙ୍ଗାନା ଆଦିଲାବାଦ୍ ସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ର ସ୍ୱତନ୍ତ୍ର ନବଜାତ ଯତ୍ନ ୟୁନିଟ୍ (SNCU)ରେ ଅଘଟଣ । ବିଳମ୍ବିତ ରାତି ପ୍ରାୟ ୧୧:୫୦ରେ ଅଗ୍ନିକାଣ୍ଡ ଘଟି ଦୁଇଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି । ୱାର୍ଡଟି ସମ୍ପୂର୍ଣ୍ଣ ଧୂଆଁମୟ ହୋଇପଡ଼ିଥିବା ସତ୍ତ୍ୱେ ହସ୍ପିଟାଲ କର୍ମଚାରୀ ଓ ଉଦ୍ଧାରକାରୀ ଦଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଅନ୍ୟ ୨୮ ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏସିରୁ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ସହିତ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଭବିଷ୍ୟତରେ ଏଭଳି ଅଘଟଣକୁ ରୋକିବା ପାଇଁ ରାଜ୍ୟର ସମସ୍ତ ଡାକ୍ତରଖାନାରେ ବିଦ୍ୟୁତ୍ ଏବଂ ଅଗ୍ନି ନିର୍ବାପକ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରି କଡ଼ାକଡ଼ି କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *