ସୁଦାନର ଏକ ସୁନା ଖଣିରେ ଧସିଲା ସୁଡ଼ଙ୍ଗ, ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧/୦୯: ସୁଦାନର ଏକ ସୁନା ଖଣିରେ ସୁଡ଼ଙ୍ଗ ଧସି ପଡ଼ିଛି। ଫଳରେ କାମ କରୁଥିବା ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ୩୦ ଜଣ ଆହତ ହୋଇଛନ୍ତି। ଧସି ପଡ଼ିଥିବା ମାଟି ତଳେ ଅନେକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। କାରଣ କାମ କରିବାକୁ ଆସିଥିବା ବହୁ ଶ୍ରମିକ ନିଖୋଜ ରହିଛନ୍ତି । ସେମାନଙ୍କର ସନ୍ଧାନ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ବିବୃତିରେ, କମ୍ପାନି ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ପ୍ରକାଶ କରିଛି, କିନ୍ତୁ ମୃତାହତଙ୍କ ବିଷୟରେ କୌଣସି ସୂଚନା ପ୍ରଦାନ କରିନାହିଁ। ସୁନା ଉତ୍ପାଦନକାରୀ ଦେଶ ସୁଦାନରେ ଖଣି ଧସିବା ଦ୍ବାରା ମୃତ୍ୟୁ ଏକ ସାଧାରଣ ଘଟଣା। ବେଆଇନ ଖଣିଗୁଡ଼ିକରେ ସୁରକ୍ଷା ମାନଦଣ୍ଡ ବ୍ୟାପକ ଭାବରେ ଉଲ୍ଲଂଘନ କରାଯିବାରୁ ଏଭଳି ପ୍ରାୟତଃ ଘଟିଥାଏ। ଗୋଟିଏ ସପ୍ତାହ ମଧ୍ୟରେ ସୁଦାନରେ ଏହା ବେଆଇନ ସୁନା ଖଣି ଧସିବାର ଦ୍ୱିତୀୟ ଘଟଣା। ଗତ ରବିବାର ଦେଶର ପଶ୍ଚିମ ଭାଗରେ ଏକ ସୁନା ଖଣିର ଅନେକ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବାରୁ ୮୨ ଜଣଙ୍କର ମୃତ୍ୟୁ ଘଟିଥିଲା ।

Leave a Reply

Your email address will not be published. Required fields are marked *