ଭୁବନେଶ୍ୱର,୦୪/୦୯: ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆରମ୍ଭ ହୋଇଛି ଦୁର୍ଗାପୂଜାର ଆଦ୍ୟ ପର୍ବ ‘ମାଟି ଅନୁକୂଳ’ । କୁଆଖାଇ ନଦୀ ପଠାରେ ବିଭିନ୍ନ ପୂଜା କମିଟି ପକ୍ଷରୁ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇ ମାଟି ଅନୁକୂଳ କରାଯାଇଛି । ଘଣ୍ଟଘଣ୍ଟା, ନାମ ସଂକୀର୍ତ୍ତନ, ହୋମ ଓ ମନ୍ତ୍ର ଉଚ୍ଚାରଣରେ ଭକ୍ତିମୟ ହୋଇଉଠିଥିଲା ନଦୀପଠା । ସକାଳୁ ସକାଳୁ କୁଆଖାଇ ନଦୀ ପଠାରେ ଜମିଥିଲା ଆଧ୍ୟାତ୍ମିକ ପରିବେଶ । ବିଭିନ୍ନ ପୂଜା କମିଟି ପକ୍ଷରୁ ବାଜା, ବାଣ ଓ ରୋଷଣୀ ସହ ମାଟି ଅନୁକୂଳ କରାଯାଇଥିଲା । ପ୍ରଥମେ ନଦୀରୁ ପବିତ୍ର ଜଳ ଆଣି ଘଟ ସ୍ଥାପନ କରାଯାଇଥିଲା । ଏହାପରେ ଜଳମାତୃକାଙ୍କ ଉପାସନା ସହ ଅଗ୍ନିଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରି ହୋମ କରାଯାଇଥିଲା ।ପୂଜାର୍ଚ୍ଚନା ପରେ ନଦୀରୁ ମାଟି ଉଠାଯାଇଛି କରାଯାଇଛି । ପରମ୍ପରା ଅନୁଯାୟୀ, ନଦୀ ମାଟି ସହ ଆଉ ୭ଟି ସ୍ଥାନରୁ ମୃତ୍ତିକା ଆଣିବାର ପରମ୍ପରା ରହିଛି। ଏହି ଅଷ୍ଟ ମୃତ୍ତିକାରେ ନିର୍ମାଣ ହେବ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ।