ଭୁବନେଶ୍ୱର,୦୪/୦୯: ଆଜି ଜନ୍ମାଷ୍ଟମୀ ତଥା ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ। ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅର୍ଥାତ୍ ଜନ୍ମାଷ୍ଟମୀ ପାଇଁ ରାଜ୍ୟର ପ୍ରତିଟି ମନ୍ଦିର ଏବେ ଚଳଚଞ୍ଚଳ ଏବଂ ଉତ୍ସବମୁଖର ହୋଇଉଠିଛି। ସକାଳୁ ସକାଳୁ ମନ୍ଦିରମାନଙ୍କରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଆରାଧ୍ୟ ଦେବଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ି ଲାଗିଥିବାବେଳେ ହରେ କୃଷ୍ଣ ମହାମନ୍ତ୍ର ଓ ଭଜନ କୀର୍ତ୍ତନରେ ପରିବେଶ ପ୍ରକମ୍ପିତ ହେଉଛି। ମନ୍ଦିରଗୁଡ଼ିକୁ ଆକର୍ଷଣୀୟ ଆଲୋକମାଳା ଏବଂ ସୁଗନ୍ଧିତ ଫୁଲରେ ଭବ୍ୟ ଭାବରେ ସଜାଯାଇଛି, ଯାହା ପର୍ବର ଶୋଭାକୁ ଦ୍ୱିଗୁଣିତ କରୁଛି। ରାତି ୧୨ଟାରେ ମହାପ୍ରଭୁଙ୍କ ଜନ୍ମ ନୀତିକାନ୍ତି ପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦିନସାରା ଉପବାସ ରହି ଭକ୍ତମାନେ ଏହି ପବିତ୍ର ଦିନଟିକୁ ଅତ୍ୟନ୍ତ ନିଷ୍ଠା, ଭକ୍ତି ଓ ଆନନ୍ଦର ସହିତ ପାଳନ କରୁଛନ୍ତି। କେବଳ ମନ୍ଦିର ନୁହେଁ, ବରଂ ଘରେ ଘରେ ମଧ୍ୟ ସୁନ୍ଦର ଖଟୁଲିରେ ବାଳଗୋପାଳଙ୍କୁ ବିରାଜମାନ କରାଯାଇ ପୂଜାର୍ଚ୍ଚନା କରାଯାଉଛି।
ସେପଟେ ଶ୍ରୀମନ୍ଦିରରେ ପାଳିତ ହେବ ଶ୍ରୀକୃଷ୍ଣ ଜନ୍ମ ନୀତି । ଏନେଇ ବଡ଼ ଦେଉଳରେ ସ୍ୱତନ୍ତ୍ର ନୀତିରେ ପୂଜାର୍ଚ୍ଚନା ବିଧି ଚାଲିଛି । ସନ୍ଧ୍ୟା ଧୂପ ଓ ପ୍ରସାଦ ଲାଗି ପରେ ତିନି ଠାକୁରଙ୍କ ବନ୍ଦାପନା କରାଯାଇଥିଲା । ଶ୍ରୀଜଗନ୍ନାଥଙ୍କୁ ଗର୍ଭୋଦକ ବନ୍ଦାପନା କରାଯାଇଛି । ଏହା ପୂର୍ବରୁ ମହାପ୍ରଭୁଙ୍କୁ ଜେଉଟ ଭୋଗ ଲାଗି କରାଯାଇଥିଲା । ଆଜି ସନ୍ଧ୍ୟା ଧୂପ ଭୋଗ ଛେକ ଆସିବା ପରେ ଶ୍ରୀକୃଷ୍ଣ ଜନ୍ମନୀତି ଶେଷ ହେବା ପର୍ଯ୍ୟନ୍ତ ସନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ।