ଭୁବନେଶ୍ୱର, ୨୬/୦୮: ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆସନ୍ତା ଅଗଷ୍ଟ ୨୮ ତାରିଖରେ ଲାଗିବାକୁ ଯାଉଛି । ଏହି ଦିନ ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ମଧ୍ୟ ସମୟ ରହିଛି । ତେବେ ଏହି ଚନ୍ଦ୍ରଗ୍ରହଣ ଆଂଶିକ ହେବ ଏବଂ ଏଥିରେ ଚନ୍ଦ୍ରମାଙ୍କର ପ୍ରାୟ ୯୬ ପ୍ରତିଶତ ଭାଗ ପୃଥିବୀର ଛାୟା ଦ୍ବାରା ଢାଙ୍କି ହୋଇରହିବ। ଜ୍ୟୋତିଷ ଗଣନା ଅନୁସାରେ, ଏହି ଗ୍ରହଣ ଆରମ୍ଭ ହେବାର ଭାରତୀୟ ସମୟ ସକାଳ ୮ଟା ୦୪ ମିନିଟରୁ ପୂର୍ବାହ୍ନ ୧୧ଟା ୨୧ ମିନିଟ୍ ପର୍ଯ୍ୟନ୍ତ ରହିବ, ଯେଉଁଥିରେ ସକାଳ ୯ଟା ୪୩ ମିନିଟରେ ଏହା ନିଜର ଚରମ ସୀମାରେ ପହଞ୍ଚିବ। ତେବେ ଗ୍ରହଣର ପ୍ରମୁଖ ସମୟରେ ଭାରତରେ ଦିନ ହୋଇଥିବ ଏବଂ ଚନ୍ଦ୍ରମା ଦିଗବଳୟ ତଳେ ରହିବେ। ଫଳରେ ଏହି ଚନ୍ଦ୍ରଗ୍ରହଣ ଭାରତରୁ ଆଦୌ ଦୃଶ୍ୟମାନ ହେବ ନାହିଁ। ନାସା ଅନୁସାରେ, ଏହା ମୁଖ୍ୟତଃ ଆମେରିକା, ଇଉରୋପ, ଆଫ୍ରିକା ଆଦି ଅଞ୍ଚଳରେ ସ୍ପଷ୍ଟ ଦେଖାଯିବ। ଭାରତରେ ଏହି ଗ୍ରହଣ ଦୃଶ୍ୟମାନ ହେଉନଥିବାରୁ ସନାତନ ଧର୍ମ ଓ ଜ୍ୟୋତିଷ ଶାସ୍ତ୍ରୀୟ ନିୟମ ଅନୁସାରେ ଏହାର ‘ସୂତକ କାଳ’ ଭାରତରେ ମାନ୍ୟ ହେବ ନାହିଁ। ସାଧାରଣତଃ ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ସୂତକ କାଳ ଆରମ୍ଭ ହୋଇଥାଏ, ମାତ୍ର ଯେଉଁଠାରେ ଗ୍ରହଣ ଦେଖାଯାଏ ନାହିଁ ସେଠାରେ ଏହାର କୌଣସି ଧାର୍ମିକ କଟକଣା ଲାଗୁ ହୁଏନାହିଁ। ତେଣୁ ରାଖି ପୂର୍ଣ୍ଣିମା ଉପରେ ଏହାର କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ ଏବଂ ଭାଇ-ଭଉଣୀମାନେ ବିନା କୌଣସି ଦ୍ବିଧାରେ ରାଖୀ ବାନ୍ଧିପାରିବେ।