ବନ୍ୟା କ୍ଷୟକ୍ଷତିର ସମୀକ୍ଷା ପରେ ହଜାରେ କୋଟି ଟଙ୍କାର ୧୦ ସୂତ୍ରୀ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮/୦୮: ବନ୍ୟା କ୍ଷୟକ୍ଷତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ବନ୍ୟାରେ ପ୍ରଭାବିତ ଓ କ୍ଷତିଗ୍ରସ୍ତ ଚାଷୀ, ମତ୍ସ୍ୟଜୀବୀ, ହସ୍ତଶିଳ୍ପୀ ଏବଂ ସାଧାରଣ ଲୋକଙ୍କ ପାଇଁ ରାଜ୍ୟ ସରକାର ରିଲିଫ୍ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ହଜାରେ କୋଟି ଟଙ୍କାର ୧୦ ସୂତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି। ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ପ୍ୟାକେଜର ପରିମାଣ ଆହୁରି ବଢ଼ିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବନ୍ୟାଞ୍ଚଳରେ ଗ୍ରାଉଣ୍ଡ ସର୍ଭେର ଗୁରୁତ୍ୱ ଅଧିକ ରହିଛି। ତେଣୁ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ସେ ନିଜେ ସ୍ଥିତି ପରଖିଛନ୍ତି। କ୍ଷୟକ୍ଷତିର ବାସ୍ତବ ଆକଳନ କରି ପ୍ରଭାବିତ ଲୋକଙ୍କୁ ତ୍ୱରିତ ସହାୟତା ଦେବା ଉପରେ ସରକାର ଗୁରୁତ୍ୱ ଦେଉଥିବା ସେ କହିଛନ୍ତି। ବନ୍ୟାରେ ୩୩ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଫସଲ କ୍ଷତି ହୋଇଥିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ମିଳିବ। ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା ଏବଂ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭,୦୦୦ ଟଙ୍କା ସହାୟତା ଦିଆଯିବ। ସେହିପରି ୧୨ ମାସୀ ଫସଲ କ୍ଷତି ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଧାନ ଓ ଅଣଧାନ ବିହନ କିଣିବା ପାଇଁ ଆର୍ଥିକ ସହାୟତା ସହ ମାଗଣା ପନିପରିବା ମିନି କିଟ୍ ମଧ୍ୟ ଯୋଗାଇ ଦିଆଯିବ। ବନ୍ୟା ପରେ ରୋଗପୋକ ଯୋଗୁଁ ଫସଲ କ୍ଷତି ହେଲେ ଚାଷୀଙ୍କୁ ୭୫ ପ୍ରତିଶତ ସବସିଡି ମିଳିବ। ବନ୍ୟାରେ କ୍ଷତିଗ୍ରସ୍ତ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ମରାମତି ଯୁଦ୍ଧକାଳୀନ ଭିତ୍ତିରେ କରାଯିବ। ପ୍ରାଣୀ ସମ୍ପଦ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ। ପୋଖରୀ, ଡଙ୍ଗା ଓ ମାଛଧରା ଜାଲ ନଷ୍ଟ ହୋଇଥିଲେ କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହାୟତା ମିଳିବ। ବନ୍ୟାରେ ପ୍ରଭାବିତ ଚାଷୀଙ୍କ ସ୍ୱଳ୍ପ ମିଆଦି ଖରିଫ ଋଣକୁ ମଧ୍ୟମ ମିଆଦି କୃଷି ଋଣରେ ପରିବର୍ତ୍ତନ କରାଯିବ। ଏହା ଦ୍ୱାରା ବନ୍ୟାରେ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କ ଉପରେ ତୁରନ୍ତ ଆର୍ଥିକ ଚାପ କିଛି ମାତ୍ରାରେ କମିବ। ସେହିପରି ବନ୍ୟାରେ କ୍ଷତିଗ୍ରସ୍ତ ହସ୍ତଶିଳ୍ପୀଙ୍କୁ ୫,୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ। ବନ୍ୟାରେ ନଷ୍ଟ ହୋଇଥିବା ବାସନକୁସନ ଓ ପୋଷାକ ପାଇଁ ମଧ୍ୟ ସରକାର ଆର୍ଥିକ ସହାୟତା ଯୋଗାଇବେ। ବନ୍ୟା ପ୍ରଭାବିତ ଅଞ୍ଚଳରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଓ ରିଲିଫ୍ ଚାଉଳ ଯୋଗାଣ ଜାରି ରହିବ। ତୁରନ୍ତ ରିଲିଫ୍ ସହିତ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ଜୀବିକାକୁ ସ୍ୱାଭାବିକ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।

 

Leave a Reply

Your email address will not be published. Required fields are marked *