ଭୁବନେଶ୍ୱର,୧୬/୦୮: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (DGP) ଭାବେ ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହୋଇଛି । କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ତାଙ୍କୁ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ୧୯୯୦ ବ୍ୟାଚ୍ ଆଇପିଏସ୍ ୱାଇ.ବି. ଖୁରାନିଆ ୨୦୨୪ରେ ଡିଜିପି ଭାବେ ଦାୟିତ୍ୱ ନେବା ପୂର୍ବରୁ ପୋଲିସ କମିଶନର ତଥା ବିଏସ୍ଏଫ୍ (BSF)ର ସ୍ୱତନ୍ତ୍ର ଡିଜି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ ।
ଅନ୍ୟପଟେ ୧୯୯୩ ବ୍ୟାଚ୍ ଆଇପିଏସ୍ ବିନୟତୋଷ ମିଶ୍ର ଓଡ଼ିଶା ପୋଲିସର ଅନ୍ତରୀଣ ଡିଜିପି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ କ୍ରାଇମବ୍ରାଞ୍ଚ ଡିଜି ଥିବା ପୂର୍ବରୁ ଅଗ୍ନିଶମ, ହୋମଗାର୍ଡ ଓ ସିଭିଲ ଡିଫେନ୍ସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଛନ୍ତି । ଦାୟିତ୍ୱ ନେବା ପରେ ସେ ମୁଖ୍ୟତଃ ଚାରୋଟି ଦିଗ ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ଘୋଷଣା କରିଛନ୍ତି— ନାରୀ ସୁରକ୍ଷା, ନିଶାମୁକ୍ତି, ସଂଗଠିତ ଅପରାଧ ଦମନ ଏବଂ ସାଇବର କ୍ରାଇମ୍ ନିୟନ୍ତ୍ରଣ ।
ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ପୁଲିସର ନୂତନ ପୂର୍ଣ୍ଣକାଳୀନ ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ବିବାଦ ଉପୁଜିଥିବା ବେଳେ ସୁପ୍ରିମକୋର୍ଟ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ନିଯୁକ୍ତି ଉପରେ ରୋକ୍ ଲଗାଇଛନ୍ତି । ସେଥିପାଇଁ ଅଦାଲତଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ପର୍ଯ୍ୟନ୍ତ ବିନୟତୋଷ ମିଶ୍ର ଅନ୍ତରୀଣ ଡିଜିପି ଭାବେ ରାଜ୍ୟର ଆଇନଶୃଙ୍ଖଳା ଦାୟିତ୍ୱ ସମ୍ଭାଳିବେ ।