ଇଣ୍ଡୋନେସିଆରେ ଗୋଟିଏ ଦିନରେ ତିନି ତିନି ଥର ଭୂମିକମ୍ପ, ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି

ନୂଆଦିଲ୍ଲୀ,୧୬/୦୮: ଇଣ୍ଡୋନେସିଆରେ ଗୋଟିଏ ଦିନରେ ତିନି ତିନି ଥର ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂମିକମ୍ପରେ ସମଗ୍ର ଦେଶ ଥରି ଉଠିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୭ରେ ପହଞ୍ଚିଛି । ୭.୭ ତୀବ୍ରତାର ପ୍ରଳୟଙ୍କରୀ ଭୂମିକମ୍ପ ଯୋଗୁଁ ଅନେକ କୋଠାବାଡ଼ି ଭୁଶୁଡ଼ି ପଡ଼ିଥିବା ବେଳେ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ସମୁଦ୍ରରେ ୧ ମିଟର ଉଚ୍ଚର ଜୁଆର ଉଠୁଥିବାରୁ ସୁନାମି ଆଶଙ୍କା ଏବେ ମଧ୍ୟ ଟଳି ନାହିଁ । ବନ୍ଦର ସହର ମାଉମେରେ ଏହି ବିପର୍ଯ୍ୟୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି, ଯେଉଁଠାରେ ୨୦ ଜଣଙ୍କର ପ୍ରାଣହାନି ଘଟିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୬୮ କିଲୋମିଟର ଗଭୀରତାରେ ଥିବା ବେଳେ ପ୍ରଥମ ଝଟକା ପରେ ୬.୫ ଏବଂ ୬.୦ ତୀବ୍ରତାର ଆଉ ଦୁଇଟି ବଡ଼ କମ୍ପନ ଅନୁଭୂତ ହୋଇଥିଲା । ତେବେ ଭୂସ୍ଖଳନ ଏବଂ ରାସ୍ତାଘାଟ ନଷ୍ଟ ହୋଇଯାଇଥିବାରୁ ଅନେକ ପ୍ରଭାବିତ ଅଞ୍ଚଳକୁ ଉଦ୍ଧାରକାରୀ ଦଳ ପହଞ୍ଚିବାରେ ବଡ଼ ବାଧା ସୃଷ୍ଟି ହୋଇଛି । ସରକାରଙ୍କ ପକ୍ଷରୁ ହେଲିକପ୍ଟର ଯୋଗେ ଜରୁରୀକାଳୀନ ସହାୟତା ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରହିଛି ।

Leave a Reply

Your email address will not be published. Required fields are marked *