ଭୁବନେଶ୍ୱର, ୧୦/୦୮:୧୬ତମ ନିଯୁକ୍ତି ମେଳା ଅବସରରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ନିଯୁକ୍ତି ପତ୍ର ବାଣ୍ଟିବା ସହ ସରକାରୀ ଚାକିରି କେବଳ ଏକ ପଦବୀ ନୁହେଁ, ଏହା ହେଉଛି ଜନସେବାର ଏକ ବଡ଼ ଦାୟିତ୍ୱ ବୋଲି କହିଛନ୍ତି। ସରକାରୀ ସେବାରେ ସଫଳତା ପଦବୀ ଦ୍ୱାରା ମପାଯାଏ ନାହିଁ, ବରଂ ନାଗରିକଙ୍କ ଜୀବନରେ କେତେ ପରିବର୍ତ୍ତନ ଆଣିପାରୁଛନ୍ତି, ତାହା ହିଁ ସଫଳତାର ପ୍ରକୃତ ମାପକ । ଭୁବନେଶ୍ୱର ରେଳ ଅଡିଟୋରିଅମରେ ଆୟୋଜିତ ନିଯୁକ୍ତି ମେଳାରେ ୯ଟି ବିଭାଗର ୧୩୨୬ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି । ଏଥିରେ କନିଷ୍ଠ ଯନ୍ତ୍ରୀ, ସହକାରୀ କୃଷି ଅଧିକାରୀ, ସହକାରୀ ପ୍ରାଧ୍ୟାପକ, ଜୁନିଅର କୋଚ୍, ପ୍ରଶିକ୍ଷକ ଓ ଅବକାରୀ ଉପ-ନିରୀକ୍ଷକଙ୍କ ଭଳି ବିଭିନ୍ନ ପଦବୀ ସାମିଲ ରହିଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୩୬୪ ଜଣ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ୩୬୧ ଜଣ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ପାଇଛନ୍ତି ।