ପୁରୀରେ ଡିଜିଟାଲ ହୁଣ୍ଡି ସମର୍ପଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫/୦୭:  ଆଜି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି ‘ସମର୍ପଣ’ର ଶୁଭାରମ୍ଭ କରିଛନ୍ତି ।ଏହି ଐତିହାସିକ ପଦକ୍ଷେପଟି ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନରେ ଥିବା ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (OCAC) ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ର ମିଳିତ ସହଯୋଗରେ ଆରମ୍ଭ କରାଯାଇଛି । ଓକାକ (OCAC) ଦ୍ୱାରା ବିକଶିତ ହୋଇଥିବା ଏହି ନିରାପଦ ଡିଜିଟାଲ ପ୍ଲାଟଫର୍ମକୁ ଶ୍ରୀମନ୍ଦିର ପ୍ରଶାସନର ଅଫିସିଆଲ୍ ପୋର୍ଟାଲ ସହିତ ସଂଯୁକ୍ତ କରାଯାଇଛି । ଯାହା ଭକ୍ତମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଓ ସ୍ୱଚ୍ଛତାର ସହ ଦାନ କରିବାର ସୁବିଧା ପ୍ରଦାନ କରୁଛି।

ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ବିଶ୍ୱର ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ସହ ଯୋଡ଼ିବା ପାଇଁ ଉଦ୍ଦିଷ୍ଟ ଏହି ବ୍ୟବସ୍ଥା ଜରିଆରେ ସଂଗୃହିତ ଦାନ ଅର୍ଥ ଶ୍ରୀମନ୍ଦିରର ବିକାଶ ଓ ରକ୍ଷଣାବେକ୍ଷଣ ପାଇଁ ବିନିଯୋଗ ହେବ । ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ପ୍ରଯୁକ୍ତିବିଦ୍ୟାଭିତ୍ତିକ ସଂସ୍କାର ପାଇଁ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍ ସହିତ ମୋବାଇଲ୍ ଆପ୍ ମଧ୍ୟ ବିକଶିତ କରାଯାଇଛି।

Leave a Reply

Your email address will not be published. Required fields are marked *