ଭୁବନେଶ୍ୱର,୧୩/୦୭: ଆଗାମୀ ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ବିଜେଡି ପକ୍ଷରୁ ଏକ ରଣନୀତି ପ୍ରସ୍ତୁତ କରାଯାଇଛି । ନବୀନ ନିବାସଠାରେ ଅନୁଷ୍ଠିତ ବିଜେଡି ସଂସଦୀୟ ଦଳ ବୈଠକରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସାଂସଦମାନଙ୍କ ସହ ଆଲୋଚନା କରି ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଜବାବ ମାଗିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ମୁଖ୍ୟତଃ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିବା ବେଳେ ଏହାକୁ ସଂସଦରେ ଜୋରଦାର ଢଙ୍ଗରେ ଉପସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଛି ।ଦଳ ପକ୍ଷରୁ ଓଡ଼ିଶାର ଚାଷୀମାନଙ୍କ ସମସ୍ୟାକୁ ପ୍ରାଥମିକତା ଦିଆଯାଇଛି । ଏହା ସହିତ ଓଡ଼ିଶାର ଦୀର୍ଘ ଦିନର ଦାବି କୋଲ୍ ରୟାଲିଟି ସଂଶୋଧନ ଏବଂ ମହାନଦୀ ଜଳ ବିବାଦ ଭଳି ଗମ୍ଭୀର ବିଷୟରେ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମଗାଯିବ। ସେହିପରି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ନିଟ୍ ପେପର ଲିକ୍ ଦୁର୍ନୀତି, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଏବଂ ବଜେଟ୍ ବହିରେ ରହିଥିବା ବିଭିନ୍ନ ତ୍ରୁଟିକୁ ନେଇ ମଧ୍ୟ ସାଂସଦମାନେ ଗୃହରେ ପ୍ରଶ୍ନ କରିବେ ।