ନୂଆଦିଲ୍ଲୀ,୦୬/୦୭: ମଣିପୁରର ଉଖରୁଲ ଜିଲ୍ଲାରେ ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣରେ ଦୁଇଜଣ ଯବାନ ସହିଦ ହୋଇଛନ୍ତି। ଏହାସହ ଅନେକ ଆହତ ହୋଇଛନ୍ତି। ନୁଙ୍ଗସାଙ୍ଗ କଙ୍ଗ୍ ଅଞ୍ଚଳରେ ସୋମବାର ଦିନ ୪୦ ଆସାମ ରାଇଫଲ୍ସର ଯବାନଙ୍କ ଏକ ଦଳ ଉପରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି। ଆକ୍ରମଣରେ ଗୁରୁତର ଆହତ ଯବାନମାନଙ୍କୁ ଅତ୍ୟାଧୁନିକ ଚିକିତ୍ସା ପାଇଁ ଇମ୍ଫାଲ ଆଣିବାକୁ ପ୍ରୟାସ କରାଯାଉଥିଲା। କିନ୍ତୁ ଦୁଇ ଜଣ ଯବାନଙ୍କ ଅବସ୍ଥା ଅଧିକ ଜଟିଳ ହେବାରୁ ସେମାନଙ୍କୁ ଉଖରୁଲ ଜିଲ୍ଲାର ସାଙ୍ଗସାକ୍ଠାରେ ଆସାମ ରାଇଫଲ୍ସର କ୍ୟାମ୍ପକୁ ନିଆଯାଇଥିଲା ଓ ସେମାନଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ଆକ୍ରମଣ ହୋଇଥିବା ଜାଗାରେ ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି ସୁରକ୍ଷାକର୍ମୀ। ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇପାରି ନାହିଁ କିମ୍ବା ଆକ୍ରମଣର ଉଦ୍ଦେଶ୍ୟ ଜଣାପଡ଼ି ନାହିଁ। ମଣିପୁର ଗୃହମନ୍ତ୍ରୀ ଗୋବିନ୍ଦଦାସ କୋନ୍ଥୁଜାମ୍ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି।