ନୂଆଦିଲ୍ଲୀ,୧୯/୦୬: ଇସ୍ରାଏଲ ପକ୍ଷରୁ ଗୁରୁବାର-ଶୁକ୍ରବାର ରାତିରେ ଦକ୍ଷିଣ ଲେବାନନ୍ ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ଲେବାନନ୍ ପକ୍ଷରୁ କୁହାଯାଇଛି। ଆଜି ବି ଆକ୍ରମଣ ଜାରି ରହିଥିବାବେଳେ ସେନା କହିଛି ଯେ, ହିଜବୁଲ୍ଲା ଅଞ୍ଚଳରେ ତୀବ୍ର ସଂଘର୍ଷ ରିପୋର୍ଟ ପରେ ଏହାର ସେନା ରାତିସାରା ଦକ୍ଷିଣ ଲେବାନନରେ ଟାର୍ଗେଟ ଉପରେ ଆକ୍ରମଣ କରିଥିଲା। ଲେବାନନ୍ ଉପରେ ଇସ୍ରାଏଲର ଏହି ଆକ୍ରମଣ ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ହୋଇଥିବା ସଦ୍ୟତମ ଚୁକ୍ତିକୁ ବିପଦରେ ପକାଇଛି। ଇସ୍ରାଏଲର ଚାରି ଜଣ ସୈନିକ ଏହି ସଂଘର୍ଷରେ ନିହତ ହୋଇଥିବା କୁହାଯାଇଛି। ଲେବାନନରେ ଜାରି ଯୁଦ୍ଧ ନୂତନ ସ୍ୱାକ୍ଷରିତ ଚୁକ୍ତିକୁ ଭାଙ୍ଗିପାରେ। ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଲେବାନନ୍ରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି ଯେ, ହିଜବୁଲ୍ଲା ବିପଦ ଦୂର ନହେବା ପର୍ଯ୍ୟନ୍ତ ଇସ୍ରାଏଲୀ ସେନା ଲେବାନନରେ ରହିବ। ଇରାନ ଯୁଦ୍ଧର ସ୍ଥାୟୀ ସମାପ୍ତି ପାଇଁ ଇରାନ ଓ ଆମେରିକା ମଧ୍ୟରେ ସ୍ୱିଜରଲ୍ୟାଣ୍ଡରେ ଯୋଜନାବଦ୍ଧ ଆଲୋଚନା ବିଳମ୍ବିତ ହେବା ପରେ ଏହି ଆକ୍ରମଣ ହୋଇଛି।