ଭୁବନେଶ୍ୱର, ୧୩/୦୬: ଶେଷରେ ଜେଲ୍ ଗଲେ ମହାକାଳପଡ଼ା ତିଖିରି ପଞ୍ଚାୟତ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା । ଜାମିନ ଆବେଦନ ଖାରଜ ହେବା ପରେ ଏବେ ମହିଳା ସରପଞ୍ଚଙ୍କ ଦିନରାତି ଜେଲ୍ ହାଜତରେ କଟିବ । ସେପଟେ ଏହି ଗିରଫଦାରୀକୁ ବିରୋଧ କରି ରଣକ୍ଷେତ୍ର ପାଲଟିଛି ମହାକାଳପଡ଼ା ଥାନା । ଥାନା ଭିତରେ ଓ ବାହାରେ ମୁତୟନ ହୋଇଛନ୍ତି ୨ ପ୍ଲାଟୁନ ପୁଲିସ ଫୋର୍ସ । ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ତିଖିରି ପଞ୍ଚାୟତରେ । ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ମହାକାଳପଡ଼ା ଥାନାରେ ଦୁଇ ଦୁଇଟି ସଙ୍ଗିନ ମାମଲା ରୁଜୁ ହୋଇଥିଲା । ପ୍ରଶାସନର ଅଭିଯୋଗ ଅନୁସାରେ, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମହାକାଳପଡ଼ା ବିଡିଓ ଏବଂ ଥାନାର ଏସ.ଆଇ ତପସ୍ବିନୀ ବିଶ୍ୱାଳଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଚାମେଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସରପଞ୍ଚଙ୍କ ଗିରଫଦାରୀ ଏବଂ ଜେଲ୍ ଯିବାକୁ ସହଜେ ଗ୍ରହଣ କରିପାରି ନାହାନ୍ତି ସ୍ଥାନୀୟ ଲୋକ ଓ ବିରୋଧୀ ଦଳ । ଚାମେଲି ଓଝାଙ୍କ ସପକ୍ଷରେ ବାହାରିଛି କଂଗ୍ରେସ ଏବଂ ମହାକାଳପଡ଼ା ସିଭିଲ ସୋସାଇଟି ସଚେତନ ନାଗରିକ ମଞ୍ଚ । ପ୍ରଶାସନ ପକ୍ଷପାତିତା କରୁଥିବା ଅଭିଯୋଗ ଆଣି ଆଜି ମହାକାଳପଡ଼ା ଥାନା ଘେରାଉ କରିଛି କଂଗ୍ରେସ ।