ଭୁବନେଶ୍ୱର,୦୯/୦୬ : କେନ୍ଦ୍ର ସରକାରଙ୍କ ସେବା ଓ ସମର୍ପଣର ୧୨ ବର୍ଷ ଏବଂ ତୃତୀୟ ପାଳିର ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରେଳ ବଜେଟ୍ର ଅଭୂତପୂର୍ବ ଅଭିବୃଦ୍ଧି, ସାଗରମାଳା ପ୍ରକଳ୍ପ, ପିଏମ୍ କିଷାନ, ଲକ୍ଷପତି ଦିଦି ଏବଂ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଭଳି ଯୁଗାନ୍ତକାରୀ କାର୍ଯ୍ୟକ୍ରମ ରାଜ୍ୟର ସାମଗ୍ରିକ ବିକାଶକୁ ସୁଦୃଢ଼ ଭିତ୍ତିଭୂମି ପ୍ରଦାନ କରିଛି। କେନ୍ଦ୍ର ସରକାରଙ୍କ ସହଯୋଗୀ ମାର୍ଗଦର୍ଶନ ଓ ଆମ ସରକାରଙ୍କ ନିଷ୍ଠାପର କାର୍ଯ୍ୟଶୈଳୀ ଦ୍ୱାରା ଓଡ଼ିଆ ଅସ୍ମିତାର ସୁରକ୍ଷା ସହ ୨୦୩୬ ସୁଦ୍ଧା ଏକ ସମୃଦ୍ଧ, ସ୍ୱାବଲମ୍ବୀ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମର ଏହି ପ୍ରତିଶ୍ରୁତିବଦ୍ଧ ଯାତ୍ରା ନିରନ୍ତର ଜାରି ରହିବ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଆଜି କେନ୍ଦ୍ର ସରକାରଙ୍କ ନିରନ୍ତର, ସ୍ୱଚ୍ଛ ସେବା, ସୁଦୃଢ଼ ସୁଶାସନ ଓ ବ୍ୟାପକ ଗରିବ କଲ୍ୟାଣର ଅଭିଯାତ୍ରାର ୧୨ ବର୍ଷ ଏବଂ ତୃତୀୟ ପାଳିର ଦୁଇଟି ଅସାଧାରଣ, ସଫଳ ବର୍ଷ ପୂର୍ଣ୍ଣ ହୋଇଛି। ସବୁଠାରୁ ଗୌରବମୟ କଥା ହେଉଛି, ଆସନ୍ତାକାଲି ମୋଦୀ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ଶାସନମୁଖ୍ୟ ଭାବେ ସର୍ବାଧିକ ସମୟ (୪,୩୯୯ ଦିନ) ସେବା କରିବାର ଏକ ଅଦ୍ଭୁତପୂର୍ବ, ନୂତନ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି। ଏହି ମହାନ୍ ଅବସରରେ ମୁଁ ଓଡ଼ିଶାର ସାଢ଼େ ୪ କୋଟି ଜନସାଧାରଣଙ୍କ ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଓ ଆନ୍ତରିକ ଶୁଭେଚ୍ଛା ଜଣାଉଛି ଏବଂ ତାଙ୍କର ଦୀର୍ଘ, ନିରାମୟ ଜୀବନ କାମନା କରୁଛି।