କାଳବୈଶାଖୀରେ ପ୍ରବଳ ପବନ ବର୍ଷା ଯୋଗୁଁ ଚିରି ଗଲା ପୁରୀ ଶ୍ରୀମନ୍ଦିର ନୀଳଚକ୍ର ପତିତପାବନ

ଭୁବନେଶ୍ୱର,୧/୦୫: କାଳବୈଶାଖୀରେ ପ୍ରବଳ ପବନ ବର୍ଷା ଯୋଗୁଁ ପୁରୀ ଶ୍ରୀମନ୍ଦିର ନୀଳଚକ୍ର ପତିତପାବନ ବାନା ଚିରି ଯାଇଛି । ତେବେ ଶ୍ରୀମନ୍ଦିର ନୀତି କାନ୍ତି ଅନୁଯାୟୀ ଅପରାହ୍ନରେ ଚୁନରା ସେବକମାନେ ପ୍ରତିଦିନ ନୀଳଚକ୍ରରେ ପତିତପାବନ ବାନା ଲାଗି କରିଥାନ୍ତି । ସନ୍ଧ୍ୟା ଧୂପ ପୂର୍ବରୁ ଏହି ବାନା ଲାଗି ହୋଇଥାଏ । ପରମ୍ପରା ଅନୁଯାୟୀ ନୀଳଚକ୍ରରେ ପତିତପାବନ ବାନା ହେଉକି ଛୋଟ ମାନସିକ ବାନା ଗୋଟିଏ ବି ଥିଲେ ଶ୍ରୀମନ୍ଦିର ମହାପ୍ରଭୁ ଙ୍କ ନୀତିକାନ୍ତି ବଢି ପାରିବ। ହେଲେ ଆଜି ନୀଳଚକ୍ରରେ ପତିତପାବନ ବାନା ଚିରି ଯାଇଥିଲେ ବି ମହାପ୍ରଭୁଙ୍କ ନୀତିକାନ୍ତି ରେ କୌଣସି ବିଭ୍ରାଟ ହୋଇ ନାହିଁ । ସକାଳୁ ନୀତିକାନ୍ତି ଚାଲୁ ରହିଛି। ପୂର୍ବରୁ ଅନେକ ସମୟରେ ପବନ ଯୋଗୁ ନୀଳଚକ୍ରରୁ ବାନା ଉଡିଯିବା ଓ ଚିରି ଯିବାର ନଜିର ରହିଛି। ସେପଟେ ପତିତପାବନ ଚିରିବା ପରେ ଅକ୍ଷୟ ଦଣ୍ଡ ଉପରେ ଚିଲ ବସିଥିବା ମଧ୍ୟ ଦେଖାଦେଇଛି l ବର୍ଷା ପବନ ହେଲେ ଚିଲମାନେ ଶ୍ରୀମନ୍ଦିର ଚାରିପଟେ ଉଡୁଥିବା ଦେଖାଦେବା ସହିତ ନୀଳଚକ୍ର ଉପରେ ବସିଥିବା ମଧ୍ୟ ଦେଖାଦେଇଥାଏ l ଏହି ଚିଲଟି କିଛି ସମୟ ପର୍ଯ୍ୟନ୍ତ ବସିବା ପରେ ଉଡିଯାଇଥିଲା l