ପଣା ସଂକ୍ରାନ୍ତି ଅବସରରେ ପୂରା ଓଡ଼ିଶାରେ ପାଳନ ହେଉଛି ନୂଆବର୍ଷ

ଭୁବନେଶ୍ୱର,୧୪/୦୪: ଆଜି ଆମ ଓଡ଼ିଆ ନବବର୍ଷ । ପଣା ସଂକ୍ରାନ୍ତି ଅବସରରେ ପୂରା ଓଡ଼ିଶାରେ ପାଳନ ହୁଏ ନୂଆବର୍ଷ । ଆଜି ହେଉଛି ସେହି ପବିତ୍ର ପଣା ସଂକ୍ରାନ୍ତି । ଆଜିର ଦିନରେ ପ୍ରତି ଘରେ ତୁଳସୀ ଚଉରା ମୂଳେ ସ୍ୱତନ୍ତ୍ର ପୂଜା କରାଯାଇଥାଏ । ପ୍ରଥମେ ତୁଳସୀ ଚଉରା ମୂଳରେ ଛୋଟ ମାଠିଆରେ ପଣା ରଖି ବାନ୍ଧି ଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଏ , ଏହି ଠେକିକୁ ବସୁନ୍ଧରା ବା ବସନ୍ତରା ଠେକି ବୋଲି ମଧ୍ୟ କୁହାଯାଏ । ଛତୁଆ, ଦହି, ଗୁଡ଼, କଦଳୀ ଓ ନଡ଼ିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ । ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ୍ରା ପାଳନ କରାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସେ ଧରି ଚାଲିଥିବା ଦଣ୍ଡ ନାଟର ଅନ୍ତ ଭାବେ ଏହି ଦିନ ‘ମେରୁ ଯାତ’ ପାଳନ କରାଯାଏ । ଲୋକେ ବେଲ ପଣା ଓ ଛତୁଆ ପିଇ ପଣା ସଂକ୍ରାନ୍ତି ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ଭାବରେ ପାଳନ କରାଯାଇଥାଏ ।