ଭୁବନେଶ୍ୱର,୧୫/୧୧: ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଂଚିଛନ୍ତି ଜୟ ଢୋଲକିଆ । ବିଜେପି କାର୍ଯ୍ୟାଳୟରେ ତାଙ୍କୁ ସ୍ୱାଗତ ସମ୍ବୋଧନା ଦିଆଯିବା ପରେ ନିର୍ବାଚନରେ ବିଜୟକୁ ନେଇ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ଦେଇଛନ୍ତି । ମନମୋହନ କହିଛନ୍ତି କି, ଏହି ବିଜୟ ନୂଆପଡ଼ାବାସୀଙ୍କର । ଦଳୀୟ କର୍ମୀ ଓ ନେତାଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଦଳ ବିଜୟୀ ହୋଇଛି । ରାଜ୍ୟବାସୀଙ୍କ ବିଜେପି ପ୍ରତି ଥିବା ବିଶ୍ୱାସ ନୂଆପଡ଼ାରେ ପ୍ରତିଫଳିତ ହୋଇଛି । ସେପଟେ ବିଜୟ ଉତ୍ସବରେ ସାମିଲ ହୋଇ ଜୟ ଢୋଲକିଆ କହିଛନ୍ତି, ଏହି ଗଣତନ୍ତ୍ରର ମହାପର୍ବରେ ନୂଆପଡ଼ାବାସୀ ସାମିଲ ହୋଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ତାଙ୍କର ବିଜୟର ଶ୍ରେୟ ସେ ନୂଆପଡ଼ାବାସୀଙ୍କୁ ଦେଇଛନ୍ତି । ସବୁଠାରୁ ବଡ଼କଥା ହେଉଛି ଏ ବିଜୟ ପଛରେ ବାପା ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଆଶୀର୍ବାଦ ଥିବା କଥା ଜୟ ଭାବବିହ୍ୱଳ ହୋଇ କହିଛନ୍ତି । ଏହା ସହ ସେ ବିଜେପିକୁ ଧନ୍ୟବାଦ ଦେଇ କହିଛନ୍ତି କି, ନିର୍ବାଚନ ବେଳେ ବିଜେପି ଯେଭଳି ଭାବେ ଗୋଟିଏ ପରିବାର ଭଳି ସାଂଗଠନିକ କାର୍ଯ୍ୟ କରିଥିଲା ତାହା ମୋତେ ଚକିତ କରିଛି ।
