ଆସନ୍ତାକାଲି ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଗଣତି ହେବ ନୂଆପଡ଼ା ଉପନିର୍ବାଚନର ଭୋଟ

ଭୁବନେଶ୍ୱର,୧୩/୧୧: ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ହେବ । ଏନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଭୋଟ ଗଣନା ପ୍ରକ୍ରିୟାକୁ  ସୁରୁଖୁରୁରେ ସାରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ନ୍ୟାସନାଲ କଲେଜରେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗରୁମ ମଧ୍ୟରେ ଥିବା ସମସ୍ତ ଇଭିଏମ ଓ ଭିଭିପାଟ ମେସିନ୍‌ ଗୁଡ଼ିକ ଆସନ୍ତାକାଲି କାଉଣ୍ଟିଙ୍ଗ ହଲକୁ ଅଣାଯିବ । ଭୋଟ ଗଣତି ପାଇଁ ୧୪ଟି ଗଣତି ଟେବୁଲ୍ ଓ ପୋଷ୍ଟାଲ ଭୋଟ ପାଇଁ ଗୋଟିଏ ଟେବୁଲ୍ ବ୍ୟବସ୍ଥା କରାଯାଇଛି । ପ୍ରଥମେ ପୋଷ୍ଟାଲ ବାଲାଟ ସକାଳ ୮ଟା ସମୟରେ ଗଣାଯିବ । ଏହାପରେ ୮ଟା ୩୦ରେ ଇଭିଏମ ମେସିନ୍‌ର ଭୋଟ ଗଣନା ଆରମ୍ଭ ହେବ। ଏହା ୨୬ ରାଉଣ୍ଡରେ ସମାପ୍ତ ହେବ । ଭୋଟିଂ ମେସିନର ତଥ୍ୟକୁ ଫର୍ମ ୧୭-ସି ସହିତ ମେଳ କରାଯିବ । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଞ୍ଚଟି ପୋଲିଂ ସେଣ୍ଟରର ଭିଭିପାଟ ସ୍ଲିପ୍‌ଗୁଡ଼ିକ ଗଣାଯାଇ ଇଭିଏମ ଫଳାଫଳ ସହ ମେଳ କରାଯିବ । ସମସ୍ତ ଗଣନା ପ୍ରକ୍ରିୟା ସିସିଟିଭି ନଜରରେ କରାଯିବ ଓ ଏସବୁର ଭିଡିଓ ରେକର୍ଡିଂ ହେବ । ଏହାର ତଦାରଖ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ । ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀ ଦ୍ୱାରା ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ।