ଭୁବନେଶ୍ବର,୨୫/୧୦: ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତର ରୂପ ନେଇଛି । ଆସନ୍ତାକାଲି ହୋଇପାରେ ଗଭୀର ଅବପାତ । ଆହୁରି ଘନିଭୁତ ହୋଇ ୨୭ରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ତେବେ କେଉଁଠି ଅତିକ୍ରମ କରିବ, କେତେ ବେଗରେ ମାଡ ହେବ, ଆଜି ସ୍ପଷ୍ଟ କରିବ ଆଇଏମଡି । ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ମାସ ଶେଷ ବେଳକୁ ପୁଣି ଥରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା ‘ମୋନ୍ଥା’। ଏହାର ତୀବ୍ରତା କେତେ ରହିବ? କେଉଁଠି ସ୍ଥଳଭାଗ ଅତିକ୍ରମ କରିବ ? ତାହା ସ୍ପଷ୍ଟ ହୋଇନଥିଲେ ବି ୨୭ରେ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛି ଆଇଏମଡି । ଏହାର ପ୍ରଭାବରେ ଓଡ଼ିଶାରେ ବଡ ବର୍ଷାର ସମ୍ଭାବନା ରହିଛି । ୨୬ ତାରିଖ ସକାଳୁ ଗଭୀର ଅବପାତରେ ପରିଣତ ହେବ । ଯାହା ଆସନ୍ତା ୨୭ ତାରିଖ ସକାଳୁ ବାତ୍ୟାର ରୂପ ନେବ । ତାପରେ ବଳ ଗୋଟାଇ ଉପକୂଳ ମୁହାଁ ହେବ ବାତ୍ୟା । ପାଣିପାଗ ସଂସ୍ଥା ୱିଣ୍ଡିର ଆକଳନ ଅନୁସାରେ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ୨୮ ତାରିଖ ବେଳକୁ ସ୍ଥଳଭାଗ ଅତିକ୍ରମ କରିପାରେ । ଆନ୍ଧ୍ର ପ୍ରଦେଶର ବିଶାଖପାଟଣା ନିକଟ ଦେଇ ଅତିକ୍ରମ କରିପାରେ ଉପକୂଳ ।