ନୂଆଦିଲ୍ଲୀ,୧୯/୧୦: ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ଭୀଷଣ ସଂଘର୍ଷ ପରେ ଉଭୟ ରାଷ୍ଟ୍ର କତର ରାଜଧାନୀ ଦୋହାରେ ଶାନ୍ତି ଆଲୋଚନା କରିଥିଲେ। ଏବେ କତାରର ବୈଦେଶିକ ମନ୍ତ୍ରାଳୟ ଘୋଷଣା କରିଛି ଯେ, ଦୋହାରେ ଅନୁଷ୍ଠିତ ଶାନ୍ତି ଆଲୋଚନାରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ସୀମାନ୍ତରେ ଲାଗିରହିଥିବା ତିକ୍ତତା ଓ ସଂଘର୍ଷର ସମାଧାନ ପାଇଁ ଆଫଗାନିସ୍ତାନ ଓ ପାକିସ୍ତାନର ଶୀର୍ଷ ଅଧିକାରୀମାନେ ଏବେ ଦୋହାରେ ଅଛନ୍ତି ଏବଂ ଏହି ଆଲୋଚନା ଆଜି ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି। ୨୦୨୧ରେ ତାଲିବାନ କାବୁଲକୁ ଦଖଲ କରିବା ପରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଏବେ ସବୁଠାରୁ ଭୟଙ୍କର ସୀମା ସଂଘର୍ଷ ଚାଲିଛି। କତର ଓ ସାଉଦି ଆରବର ମଧ୍ୟସ୍ଥତାରେ ଏହି ଶାନ୍ତି ଆଲୋଚନା ହେଉଛି।
ସୂଚନାଯୋଗ୍ୟ, ଅକ୍ଟୋବର ୧୫-୧୬ରେ ପାକ୍-ଆଫଗାନ ସୀମାନ୍ତ ଜିଲ୍ଲାଗୁଡ଼ିକରେ ତୀବ୍ର ସଂଘର୍ଷ ହୋଇଥିଲା, ଯେଉଁଥିରେ ଉଭୟ ପକ୍ଷରେ ବହୁ ସୈନିକ ଓ ସାଧାରଣ ନାଗରିକଙ୍କ ମୃତାହତ ହୋଇଥିବା ଖବର ମିଳିଥିଲା। ଏହାପରେ ଆନ୍ତର୍ଜାତିକ ମଧ୍ୟସ୍ଥତା ପରେ ଏକ ୪୮ ଘଣ୍ଟିଆ ଅସ୍ତ୍ରବିରତି ଚୁକ୍ତି ହୋଇଥିଲା।