ଭୁବନେଶ୍ୱର,୦୯/୧୦: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ୫୬ ଘଣ୍ଟା ପୁରିଲାଣି । ହେଲେ ଏଯାଏଁ ପୋଲିସ ହାତ ଖାଲି । ତଦନ୍ତ ଚାଲିଛି ବୋଲି ପୁଲିସ କହୁଛି, ପାତାଳରେ ଥିଲେ ବି ଅପରାଧୀ ଧରା ହେବେ ବୋଲି ମନ୍ତ୍ରୀ କହୁଛନ୍ତି । ପୀତବାସଙ୍କୁ ଗୁଳିମାଡ଼ ପୂର୍ବରୁ ତାଙ୍କ ଚାମ୍ବରରୁ ଘର ପର୍ଯ୍ୟନ୍ତ ରେକି କରିଥିଲେ ଦୁର୍ବୃତ୍ତ । କେମିତି ପୀତବାସଙ୍କୁ କରିବେ ଟାର୍ଗେଟ୍ ପୂର୍ବରୁ କରିଥିଲେ ଯୋଜନା । ହତ୍ୟାକାଣ୍ଡକୁ ନେଇ ପୁଲିସର ଜୋରଦାର ତଦନ୍ତ ଚଳାଇଛି । କୁହାଯାଉଛି ଘଟଣା ଦିନ ରାତି ପ୍ରାୟ ୯ଟା ୩୦ରେ ପୀତବାସ ଚାମ୍ବରରୁ ବାହାରିଥିଲେ । ଭାଗ୍ୟଶ୍ରୀ ହୋଟେଲ ପାଖରୁ ବିରିୟାନି କିଣିସାରି ୯ଟା ୫୫ରେ ବାହାରିଥିଲେ । ସେଠାରୁ ଗଳି ମୁଣ୍ଡରେ ପହଞ୍ଚିଲା ବେଳକୁ ପୂର୍ବରୁ ଆତତାୟୀମାନେ ଛକି ରହିଥିଲେ । ଗୋଟିଏ କଳା ରଙ୍ଗର ବାଇକ୍ରେ ୨ଜଣ ଧଳା ସାର୍ଟପିନ୍ଧା ଯୁବକ ଅପେକ୍ଷା କରିଥିଲେ । ସେମାନେ କଳା ରଙ୍ଗର ହେଲମେଟ୍ ପିନ୍ଧି ଗେଟ୍ ବଜାର ଆଡ଼ୁ ଆସିଥିଲେ । ପୀତବାସ ବୈକୁଣ୍ଠନଗର ଗଳି ମୁଣ୍ଡରେ ପହଞ୍ଚିବା କ୍ଷଣି ଅତି ନିକଟରୁ ଛାତିକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲେ । ଗୁଳିମାଡ଼ ପରେ ଅଭିଯୁକ୍ତମାନେ ଗୋକର୍ଣ୍ଣେଶ୍ବର ଗଳି ଦେଇ ପଳାଇ ଯାଇଥିବା ଅନୁମାନ କରାଯାଉଛି ।