ନୂଆଦିଲ୍ଲୀ,୦୫/୧୦: ପଶ୍ଚିମବଙ୍ଗର ଦାର୍ଜିଲିଂର ମିରିକରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ମିରିକରେ ଭୂସ୍ଖଳନ ହେବା ଫଳରେ ଅତି କମରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଜିଲ୍ଲା ସହର ଏବଂ ପର୍ଯ୍ୟଟନସ୍ଥଳୀ ମିରିକ ଏବଂ କର୍ସିଓଙ୍ଗକୁ ସଂଯୋଗ କରୁଥିବା ଡୁଡିଆ ଲୁହା ସେତୁ ମଧ୍ୟ ଭୁଶୁଡ଼ି ପଡ଼ିଥିବା ଜାଣିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ସେତୁ ଭୁଶୁଡ଼ିବାରୁ ଏଭଳି ଅଘଟଣା ଘଟିଛି। ସେତୁଟି କର୍ସିଓଙ୍ଗ ନିକଟବର୍ତ୍ତୀ ଜାତୀୟ ରାଜପଥ ୧୧୦ ପାର୍ଶ୍ୱରେ ଅବସ୍ଥିତ।
ରବିବାର ସକାଳ ପର୍ଯ୍ୟନ୍ତ ଦାର୍ଜିଲିଂ, କାଲିମପଙ୍ଗ, କୁଚ୍ ବିହାର, ଜଳପାଇଗୁଡ଼ି ଏବଂ ଆଲିପୁରଦୁଆରରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଏହି ଅଞ୍ଚଳକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏକ ଲଘୁଚାପ କ୍ଷେତ୍ର ସୋମବାର ସକାଳ ପର୍ଯ୍ୟନ୍ତ ଉପ-ହିମାଳୟ ପଶ୍ଚିମବଙ୍ଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଣିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଉତ୍ତର ବଙ୍ଗର ଦାର୍ଜିଲିଂର ପଡ଼ୋଶୀ ଜିଲ୍ଲା ଆଲିପୁରଦୁଆରରେ ସୋମବାର ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ।